ଜାତି ନୁହେଁ ଧର୍ମ ଆଧାରରେ ମିଳିବ କି ସଂରକ୍ଷଣ ? କେନ୍ଦ୍ର ଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ ।

752

କନକ ବ୍ୟୁରୋ: ଦଳିତ ଖ୍ରୀଷ୍ଟିଆନ ମାନଙ୍କୁ ଅନୁସୂଚିତ ଜାତି କ୍ୟାଟେଗୋରିରେ ଅନ୍ତର୍ଭୁକ୍ତ କରାଯିବ କି ନାହିଁ, ଏନେଇ ମୋଦୀ ସରକାରଙ୍କ ଠାରୁ ଉତ୍ତର ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୩ ସପ୍ତାହ ମଧ୍ୟରେ ଜବାବ ରଖିବେ କେନ୍ଦ୍ର ସରକାର । ସିପିଆଇଏଲ ନାମକ ଏକ ଏନଜିଓ ୨୦୦୪ରେ ପ୍ରଥମେ ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲା । ୨୦୧୫ରେ ଶେଷଥର ପାଇଁ ଏହି ପ୍ରସଙ୍ଗରେ ଶୁଣାଣି କରାଯାଇଥିଲା । ଏହି ସମୟ ମଧ୍ୟରେ ଦଳିତ ଖ୍ରୀଷ୍ଟିଆନଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ଅନୁଧ୍ୟାନ କରିବାକୁ କେନ୍ଦ୍ର ରଙ୍ଗନାଥ ମିଶ୍ର କମିଶନ ଗଠନ କରିଥିଲେ । ସିପିଆଇଏଲ ପକ୍ଷରୁ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଯୁକ୍ତିବାଢ଼ିଥିଲେ ଯେ, ଯଦି ଜଣେ ଦଳିତ ଧର୍ମ ପରିବର୍ତନ କରି ଖ୍ରୀଷ୍ଟିଆନ ହୋଇଯାଏ, ତାହେଲେ ତାଙ୍କୁ ଜଣେ ଦଳିତ ହିସାବରେ କରାଯାଇଥିବା ବିଦ୍ୱେଷ ଚାଲିଯାଏ ନାହିଁ, ଏହି ଆଧାରରେ ଦଳିତ ଖ୍ରୀଷ୍ଟିଆନଙ୍କୁ ମଧ୍ୟ ସଂରକ୍ଷଣ ମିଳିବା ଦରକାର’ ।

ସେପଟେ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ, ‘ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ଦଳିତମାନେ ଧର୍ମ ପରିବର୍ତନ କରି ଖ୍ରୀଷ୍ଟିଆନ ହୋଇଛନ୍ତି, ଏହା ସେମାନେ ସ୍ୱତପ୍ରବୃତଃ ଭାବେ କରିଛନ୍ତି ନା ପ୍ରଲୋଭନ ଦେଖାଇ କରାଯାଇଛି । ଦଳିତ ଭାବେ କରାଯାଉଥିବା ବିଦ୍ୱେଷ ହଟାଇବାକୁ ସେମାନେ ଖ୍ରୀଷ୍ଟିଆନ ହୋଇଯାଇ ନାହାନ୍ତି ତ ?’

ଖାଲି ଖ୍ରୀଷ୍ଟିଆନ ଦଳିତ ନୁହେଁ, ସେହିପରି ସୁପ୍ରିମକୋର୍ଟ ଅନ୍ୟ ଏକ ଆବେଦନର ମଧ୍ୟ ଶୁଣାଣି କରିବାର ଅଛି । ସାମାଜିକ ଓ ଶିକ୍ଷା ଆଧାରରେ ମୁସଲିମ୍ ମାନଙ୍କୁ ପଛୁଆ ବର୍ଗ ଭାବେ ଘୋଷଣା କରାଯାଇ ପାରିବ କି ନାହିଁ ? ଆଉ ଏହି ଆଧାରରେ ମୁସଲିମଙ୍କୁ ସଂରକ୍ଷଣ ଦିଆଯିବ କି ନାହିଁ ?

୧୯୫୦ରେ ସୁପ୍ରିମକୋର୍ଟ ଏକ ରାୟ ଦେଇଥିଲେ । ଏଥିରେ କୁହାଯାଇଥିଲା ଯେ, “ହିନ୍ଦୁ, ଶିଖ ଓ ବୌଦ୍ଧ ଧର୍ମକୁ ଛାଡ଼ିକୁ ଅନ୍ୟ ଧର୍ମକୁ ଅନୁସରଣ କରୁଥିବା ବ୍ୟକ୍ତି ଅନୁସୂଚିତ ଜାତି ଭାବେ ଗଣନା ହେବାକୁ ଅଯୋଗ୍ୟ” । ଅକ୍ଟୋବର ୧୧ରେ ମାମଲାର ପରବର୍ତୀ ଶୁଣାଣି ହେବ ।