କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : କହିଲେ ବିବାହ ପଞ୍ଜିକରଣ ପାଇଁ ଧର୍ମକୁ ବିଚାର କରିବା ଯୁକ୍ତିଯୁକ୍ତ ନୁହେଁ

99

କନକ ବ୍ୟୁରୋ : ମ୍ୟାରେଜ ରେଜିଷ୍ଟ୍ରେସନ ବା ବିବାହ ପଞ୍ଜିକରଣ ପାଇଁ ଧର୍ମକୁ ବିଚାର କରିବା ଯୁକ୍ତିଯୁକ୍ତ ନୁହେଁ । କେରଳ ମ୍ୟାରେଜ ରେଜିଷ୍ଟ୍ରେସନ ନିୟମ ୨୦୦୮ ଆଧାରରେ ଏହା କହିଛନ୍ତି କେରଳ ହାଇକୋର୍ଟ । ଏକ ଆବେଦନର ବିଚାର କରି କେରଳ ହାଇକୋର୍ଟର ବିଚାରପତି ପି ଭି କୁନହିକ୍ରିଷ୍ଣନ ଏହି ରାୟ ଦେଇଛନ୍ତି । ପି ଆର ଲଲନ ଏବଂ ଆଇଶା କେରଳ ଏରନାକୁଲମର ବାସିନ୍ଦା । ଜଣେ ହିନ୍ଦୁ ହୋଇଥିବା ବେଳେ ଅନ୍ୟ ଜଣେ ମୁସଲିମ୍ ।

ଡିସେମ୍ବର ୨, ୨୦୨୧ରେ ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଥିଲେ । ହେଲେ ଯୁବତୀ ଜଣଙ୍କ ମୁସଲିମ ହୋଇଥିବାରୁ ସ୍ପେଶାଲ ମେରେଜ ଆକ୍ଟ ଅନୁଯାୟୀ ବିବାହ ପଞ୍ଜିକରଣ ହୋଇପାରିବ ନାହିଁ ବୋଲି କୋଚି କୋରପୋରେସନ ସୋସାଇଟିର ଅଧିକାରୀ କହିଥିଲେ । ଏହାପରେ ଉଭୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ବିଚାରପତି ପି ଭି କୁନହିକ୍ରିଷ୍ଣନ ସୁପ୍ରିମକୋର୍ଟଙ୍କ ଏକ ରାୟକୁ ଆଧାର କରି ଦୁଇ ସପ୍ତାହ ମଧ୍ୟରେ ବିବାହ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ବିବାହ କରିନଥାନ୍ତେ ତାହେଲେ ବିବାହ ପଂଜିକରଣ ନେଇ ବିଚାର ହୋଇପାରେ । କିନ୍ତୁ ବିବାହ ସରିଥିବାରୁ ଉଭୟ ମହିଳା ଏବଂ ପିଲାର ସୁରକ୍ଷା ଜରୁରୀ ବୋଲି ବିଚାରପତି କହିଛନ୍ତି । ଭାରତ ଏକ ଧର୍ମନିରପେକ୍ଷ ଦେଶ । ଏଠାରେ ସମସ୍ତେ ନିଜ ନିଜ ଧର୍ମ ପାଳନ କରିପାରିବେ । ଏଥିସହ ବିବାହ ମଧ୍ୟ ନିଜ ଇଛାରେ କରିପାରିବେ । ତେଣୁ ବିବାହ ପଞ୍ଜିକରଣ ଉପରେ ଆପତି ଉଠାଇବା ଠିକ୍ ନୁହେଁ ବୋଲି ବିଚାରପତି କହିଛନ୍ତି ।