ଲଘୁଚାପ ପ୍ରଭାବ, ରାଜ୍ୟରେ ବର୍ଷା ଜାରି : ୪ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଏବଂ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

356

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି । ପାଣିପାଗ କେନ୍ଦ୍ର ପକ୍ଷରୁ ୪ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି । ବରଗଡ, ସମ୍ବଲପୁର, ଅନୁଗୁଳ ଏବଂ କେନ୍ଦୁଝର ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ୪ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି । ୧୪ଜିଲ୍ଲାକୁ ଅରେଞ୍ଜ ଏବଂ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ୪ ଜିଲ୍ଲା ସହ ରାଜ୍ୟର ସୋନପୁର, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ରାଜ୍ୟର ଅବଶିଷ୍ଟ ଜିଲ୍ଲାରେ ବି ଭ‌ାରି ବର୍ଷାର ସମ୍ଭାବନ‌ା ରହିଛି । ୧୦ ତାରିଖ ଦିନ ଜଗତସିଂହପୁର, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ । ଏଥିସହ ସୋନପୁର, ବଲାଙ୍ଗୀର, ବୌଦ୍ଧ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୧ ତାରିଖ ଦିନ ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ଜଗତସିଂହପୁର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ପ୍ରବଳ ବର୍ଷାରେ କଳାହାଣ୍ଡି ଜିଲ୍ଲା ୧୩୦-ସି ଜାତୀୟ ରାଜପଥର ବଡବସୁଲ ହାଲେର ନାଳାର ଡାଇଭର୍ସନ ରୋଡ ଧୋଇ ହୋଇଯାଇଛି । ଫଳରେ ଜୁନାଗଡ ଅଂଚଳରୁ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏପଟେ ଧର୍ମଗଡରୁ ଭବାନୀପାଟଣାକୁ ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଜୟପୁରରେ ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱର ଯିବା ରାସ୍ତାରେ ମାଟି ଅତଡା ଧସିବାରୁ ଯାତାୟତ ଠପ୍ ହୋଇପଡିଛି । ବୋଲବମ ଭକ୍ତକୁ ସେହି ରାସ୍ତାରେ ଯିବାକୁ ପ୍ରଶାସନ ମନା କରିଥିବା ବେଳେ ରାସ୍ତାରେ ଅଟକି ରହିଛି ଶହ ଶହ ଗାଡିି । ଲଗାଣ ବର୍ଷା ଯୋଗୁଁ ନଈ ନାଳରେ ଜଳସ୍ତର ବଢୁଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଘଟଣର ଖବର ଆସିଛି ।

ସମ୍ବଲପୁର ଝାଙ୍କରାଣୀ ମନ୍ଦିର ନିକଟରେ ଭୋଜି କରିବାକୁ ଆସିଥିବା ୩ଜଣ ଯୁବକ ଗୋଧୋଇବା ବେଳେ ନଈରେ ଭାସି ଯାଇଛନ୍ତି । ଜଣେ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କାର୍କାଗୁଡାର ନାଳରେ ଭାସିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଗଂଜାମ ବୁଗୁଡ଼ା ବ୍ଲକ୍ ଭାମସିଆଳି ଗାଁରେ କେନାଲରେ ଜଣେ ଭାସି ଯାଇ ପ୍ରାଣ ହରାଇଛନ୍ତି ଜଣେ ଯୁବକ । କଟକ ମାହାଙ୍ଗା ନିକଟ ଗୋକର୍ଣ୍ଣେଶ୍ୱର ମନ୍ଦିରରେ ଜଳାଭିଷେକ ପାଇଁ ଆସିଥିବା ଜଣେ କାଉଡିଆ ଗୋବରୀ ନଦୀରେ ବୁଡି ପ୍ରାଣ ହରାଇଛନ୍ତି ।