ଚୀନ କମ୍ପାନୀ ଉପରେ ଲାଗିବ କଟକଣା : ବ୍ୟାନ ହେବ ଶସ୍ତା ସ୍ମାର୍ଟ ଫୋନ୍

326

କନକ ବ୍ୟୁରୋ : ଚାଇନା କମ୍ପାନି ଉପରେ ଲାଗିବ କଟକଣା । ଖୁବଶୀଘ୍ର ଏ ଉପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଶାଓମି ଓ ରିଅଲ୍‌ମି ଭଳି ସଂସ୍ଥା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଚୀନ୍ ସଂସ୍ଥାଗୁଡ଼ିକୁ ୧୨ ହଜାର ଟଙ୍କାରୁ କମ୍ ଦାମ୍‌ର ସ୍ମାର୍ଟଫୋନ୍ ବିକ୍ରି କରିବା ଲାଗି ବାରଣ କରାଯିବ । ଏହିଭଳି ଭାବେ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ବଜାରରୁ ଚୀନ୍‌ ସଂସ୍ଥାଗୁଡ଼ିକୁ ବାହାର କରିବା ବିଷୟରେ ସରକାର ବିଚାର କରୁଛନ୍ତି । ତେବେ ଯଦି ଏଭଳି କିଛି ନିୟମ ଆସିବ ତେବେ ଆପଲ୍, ସାମସଙ୍ଗ ଭଳି ସଂସ୍ଥା ପ୍ରଭାବିତ ହେବେ ନାହିଁ । କାରଣ ଏହି କମ୍ପାନୀ ଗୁଡ଼ିକର ଫୋନ୍‌ ଦାମ୍ ଅଧିକ ରହୁଛି ।

ଏବେ ଦେଶରେ ବିକ୍ରି ହେଉଥିବା ଫୋନ୍ ମଧ୍ୟରୁ ତିନି ଭାଗ ହେଉଛି ୧୨ ହଜାର ଟଙ୍କାରୁ କମ୍ ଦାମ୍‌ର ଫୋନ୍। ସେହି ବଜାରର ୮୦ ପ୍ରତିଶତ ଭାଗ ଚୀନ୍‌ ସଂସ୍ଥାଗୁଡ଼ିକ କବ୍‌ଜାରେ ରହିଛି । କୋଭିଡ୍ ମହାମାରୀ ବ୍ୟାପିବା ପରେ ଚୀନ୍‌ର ସ୍ମାର୍ଟଫୋନ୍ ନିର୍ମାତାମାନେ ଭାରତୀୟ ବଜାର ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି । ଏକ ହିସାବରୁ ଜଣାପଡ଼ିଛି ଯେ ଯଦି ୧୨ ହଜାର ଟଙ୍କାରୁ କମ୍ ଦାମ୍‌ର ଫୋନ୍ ବିକିବା ପାଇଁ ଚୀନ୍‌ କମ୍ପାନୀଗୁଡ଼ିକୁ ବାରଣ କରାଯିବ ତେବେ ଶାଓମିର ବିକ୍ରି ୪-୫% ହ୍ରାସ ପାଇବ । ଏହି ବଜାରର ୨୫% ଶାଓମି କବ୍‌ଜାରେ ରହିଛି। ଚୀନ୍ ସ୍ମାର୍ଟଫୋନ୍ କମ୍ପାନୀଗୁଡ଼ିକର କାରବାର ଉପରେ ସରକାରଙ୍କ ସନ୍ଦେହ ରହିଛି ।