‘ଫୋନି’ର ଏକ ମାସ ପରେ ବି କ୍ଷତିଗ୍ରସ୍ତ ଗାଁରେ ସୁଧୁରିନି ସ୍ଥିତି । ପହଁଚିନି ବିଜୁଳି, ମୁଣ୍ଡ ଉପରେ ଛାତ ନାହିଁ, ଘର ନିର୍ମାଣ ପାଇଁ ମିଳିନି କାର୍ଯ୍ୟାଦେଶ ।

92

କନକ ବ୍ୟୁରୋ : ବାତ୍ୟା ଫୋନିକୁ ଆଜି ପୁରିଛି ଠିକ୍ ଗୋଟିଏ ମାସ । ମେ’ ୩ ଆଜିର ଦିନରେ ପ୍ରଳୟ ନେଇ ଆସିଥିଲା ବାତ୍ୟା । ଉଜାଡ଼ି ଦେଲା ଧନଜୀବନ । ପୁରୀ ଏବଂ ଭୁବନେଶ୍ୱର ସହର ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଆଜି ଗୋଟିଏ ମାସ ପରେ ବାତ୍ୟା ପ୍ରଭାବିତ ଅଂଚଳରେ କେମିତି ଅଛି ଅବସ୍ଥା । ସ୍ଥିତି ପରଖିଛି କନକ ନ୍ୟୁଜ୍ ଟିମ୍ ।

ବାତ୍ୟା ଫୋନିରେ ଅସ୍ତବ୍ୟସ୍ତ ହୋଇଯାଇଛି ଜୀବନ । ପୁରୀର ତାଳବଣିଆ ଅଂଚଳର ସ୍ଥିତି ଏବେବି ସୁଧୁରିନି । ମାସେ ପୂରିଥିଲେ ବି ପଲିଥିନ ତଳେ ବିତୁଛି ଜୀବନ । ଅନେକ ଅଂଚଳରେ ବିଜୁଳି ଏବେ ବି ପହଁଚି ପାରିନାହିଁ । ସେହିପରି ମୋଚିସାହି, ଗୌଡବାଡ଼ ସାହି ଅବସ୍ଥା ମଧ୍ୟ ଏକାଭଳି । ସ୍ଥିତି ସ୍ୱାଭାବିକ ହେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଗୋଟିଏ ପଟେ ବିଜୁଳି ନାହିଁ, ଅନ୍ୟପଟେ ପ୍ରବଳ ଗରମ, ତା’ ସାଙ୍ଗକୁ ପିଇବା ପାଣି ସମସ୍ୟା । ପୁରୀର ତଳି ଅଂଚଳରେ ସ୍ୱାସ୍ଥ୍ୟ ସମସ୍ୟା ସାଂଘାତିକ ହେବାରେ ଲାଗିଛି । ଚର୍ମ ରୋଗ ଠାରୁ ଆରମ୍ଭ କରି ପେଟ ରୋଗ ଏବେ ବ୍ୟାପିବାରେ ଲାଗିଛି । ସେହିପରି ସତ୍ୟବାଦୀ ବ୍ଳକରେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ଯାହା ମୁଣ୍ଡ ଉପରେ ଛାତ ନାହିଁ, ସେମାନଙ୍କ ଦୁଃଖ କହିଲେ ନସରେ । ଗୋପବନ୍ଧୁଙ୍କ ଗାଁ ସୁଆଣ୍ଡୋ ଅଂଚଳର ସ୍ଥିତିରେ ସୁଧାର ଆସିନାହିଁ ।

ବାରମାଣ ସାହି, ଡମଳା, ବଳପୁର ଯେଉଁ ଅଂଚଳକୁ ଗଲେ ଏକାଭଳି ଚିତ୍ର ଦେଖିବାକୁ ମିଳୁଛି । କାହାର ଝିଅ ବାହାଘର ଅଟକି ଯାଇଛି ତ କିଏ ମୁଣ୍ଡ ଗୁଂଜିବାକୁ ଏବେ ବି ଉପାୟ ପାଉନାହିଁ । ଆଉ ସେପଟେ ଶକ୍ତି ମନ୍ତ୍ରୀ କହିଛନ୍ତି ଖୁବ ଶୀଘ୍ର ବିଜୁଳି ଯୋଗାଣ ସ୍ୱାଭାବିକ ହେବ ।

ଏବେ ବି ସଂଘର୍ଷ କରୁଛନ୍ତି ବାତ୍ୟା ପ୍ରଭାବିତ ଗାଁ ଗୁଡିକ । ମାସକ ପରେ ବି ଗାଁ ଗୁଡିକରେ ସ୍ଥିତି ସୁଧୁରିନି । ଜୁନ୍ ୧ ତାରିଖରୁ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଘର ନିର୍ମାଣ ନେଇ କାର୍ଯ୍ୟାଦେଶ ମିଳିବ ବୋଲି ସରକାର ପୂର୍ବରୁ ସୂଚନା ଦେଇଥିଲେ, ହେଲେ ତାହା ଏଯାଏଁ ହୋଇପାରିନି । ଆଉ ବାତ୍ୟା ‘ଫୋନି’ ଯେଉଁ ଚିତ୍ର ଛାଡିଯାଇଛି, ତାହା କେବେ ଯେ ଲିଭିବ, ତାହା ଆକଳନ କରିବା ମୁସ୍କିଲ ।