ଗ୍ରୀଷ୍ମ ପ୍ରବାହରୁ ପଶୁପକ୍ଷୀଙ୍କୁ ରକ୍ଷା କରିବା ପାଇଁ ସ୍ୱେଚ୍ଛାସେବୀ ସଂଗଠନର ନିଆରା ପ୍ରୟାସ । ଖୁଂଟା ଜଙ୍ଗଲରେ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିଛନ୍ତି କର୍ମଚାରୀ

75

କନକ ବ୍ୟୁରୋ : ଗ୍ରୀଷ୍ମ ଋତୁର ଡହ ଡହ ଖରା ଓ ଗୁଳୁଗୁଳି ଯୋଗୁଁ ଶୁଖିଲା ପଡିଲାଣି ନଦୀ-ନାଳ । ଏହାରି ଭିତରେ ପଶୁ ପକ୍ଷୀଙ୍କର ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ତେଣୁ ଗ୍ରୀଷ୍ମ ଦାଉରୁ ରକ୍ଷା କରିବା ସହ ନିରିହ ପଶୁପକ୍ଷୀଙ୍କ ଶୋଷ ମେଂଟାଇବା ପାଇଁ ଜଳେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ମାନେ କରିଛନ୍ତି ଅଭିନବ ପ୍ରୟାସ । ଜଙ୍ଗଲରେ ଥିବା ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ଏବଂ ପାଣିର ବ୍ୟବସ୍ଥା କରିଛନ୍ତି । ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲା ସୀମାନ୍ତରେ ଥିବା ଖୁଂଟା ଜଙ୍ଗଲରେ ପକ୍ଷୀମାନଙ୍କ ପାଇଁ କରିଛନ୍ତି ଏଭଳି ବ୍ୟବସ୍ଥା । ଜଙ୍ଗଲର ବିଭିନ୍ନ ସ୍ଥାନରେ ଗଛରେ ମାଟି ପାତ୍ର ବସାଇ ସେଥିରେ କିଛି ପାଣି ଏବଂ କିଛି ଖାଦ୍ୟର ବ୍ୟବସ୍ଥା କରିଛନ୍ତି ସ୍ୱେଚ୍ଛାସେବୀ ସଂଗଠନ । ଯାହା ଫଳରେ ଜଙ୍ଗଲରେ ଥିବା ପକ୍ଷୀ ମାନେ ପାଣି ପିଇବା ସହିତ ଖାଦ୍ୟ ଖାଇ ଜୀବନ ବଂଚାଇପାରିବେ ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ପାଣିର ଅଭାବ । ପାଣି ପାଇଁ ଚାରିଆଡେ ହାହାକାର ଦେଖାଦେଉଛି । ଏହାରି ଭିତରେ ମଣିଷମାନେ ଯେମିତି ଜଳକଷ୍ଟ ଭୋଗୁଛନ୍ତି ଜିବଯନ୍ତୁ ମାନେ ମଧ୍ୟ ସେମିତି ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ନିରିହ ଜିବଯନ୍ତୁଙ୍କ ପାଇଁ ପାଣିର ବ୍ୟବସ୍ଥା କରିବା ପାଇଁ ଘରର ଛାତ ଉପରେ ହେଉ କିମ୍ବା ଗଛ କରୋଡରେ ବା ଖୋଲା ସ୍ଥାନରେ ପାଣି ରଖିବା ପାଇଁ ନିବେଦନ କରିଛନ୍ତି ସଂଗଠନର ସଦସ୍ୟ ।

ଯଦି ପ୍ରତ୍ୟେକ ଲୋକ ଜୀବଯନ୍ତୁ ମାନଙ୍କ ପାଇଁ କିଛି କିଛି ପାଣିର ବ୍ୟବସ୍ଥା କରନ୍ତେ ତାହାହେଲେ ନିରିହ ପଶୁ ପକ୍ଷୀ ମାନଙ୍କର ଜୀବନ ବଂଚିପାରନ୍ତା ।