ସାମ୍ନାକୁ ଆସିଲା ଫ୍ରଡମାଷ୍ଟରଙ୍କ ଆଉ ଏକ ଠକେଇ । ପିଏନବି ପରେ ପିଏସବି ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକି ନେଇଛନ୍ତି ମେହୁଲ ଚୋକସି ।

244

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ମାଷ୍ଟରମାଇଣ୍ଡ ମେହୁଲ ଚୋକସିଙ୍କ ଆଉ ଏକ ବ୍ୟାଙ୍କ୍ ଠକେଇର ପର୍ଦ୍ଦାଫାଶ ହୋଇଛି । ଏହାପୂର୍ବରୁ ପିଏନବି ମହାଠକେଇ ଘଟଣାରେ ଦେଶରୁ ଫେରାର ଅଛନ୍ତି ମେହୁଲ । ଆଉ ମେହୁଲଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଆଉ ଏସବୁ ଭିତରେ ମେହୁଲଙ୍କ ଆଉ ଏକ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି ।

କେବଳ ପିଏନବି ନୁହେଁ ପିଏସବି ବ୍ୟାଙ୍କକୁ ମଧ୍ୟ ଚୂନା ଲଗାଇଛନ୍ତି ମେହୁଲ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରୁ ୪୪.୧ କୋଟି ଟଙ୍କା ଠକେଇ ହୋଇଥିବା ନେଇ ବ୍ୟାଙ୍କ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏପରିକି ରଣ ପରିଶୋଧ କରିନଥିବା ପ୍ରତିଟି ବ୍ୟକ୍ତି ବିଶେଷଙ୍କ ବାବଦରେ ସୂଚନା ଦେଇଛି ବ୍ୟାଙ୍କ । ଏହାପୂର୍ବରୁ ମେହୁଲଙ୍କ କମ୍ପାନି ଗୀତାଞ୍ଜଳୀ ଜେମ୍ସ ଲିମିଟେଡ ପିଏସବିରୁ ବଡ ଧରଣର ଋଣ ଉଠାଇଥିଲା । ତେବେ କମ୍ପାନିର ବାରମ୍ବାର ନୋଟିସ ପରେ ମଧ୍ୟ ଋଣ ପରିଶୋଧ ନ କରି ଫେରାର ହୋଇଯାଇଥିଲେ ମେହୁଲ ।

ପିଏନବି ୧୩ ହଜାର କୋଟି ଟଙ୍କା ଠକେଇର ଫ୍ରଡ ମାଷ୍ଟର ମେହୁଲ ଚୌକସିଙ୍କୁ ପଳାୟନକାରୀ ଘୋଷଣା କରିବାକୁ ସିବିଆଇ ସଜବାଜ ହେଉଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ମେହୁଲ ଏବେ ଆଣ୍ଟିଗୁଆରେ ଥିବା ବେଳେ ଦେଶକୁ ଫେରାଇ ଆଣିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏପରିକି ଭାରତୀୟ ଏଜେନ୍ସି ଆଣ୍ଟିଗୁଆ ଆସି ସେଠାରେ ମେହୁଲଙ୍କୁ ପଚରାଉଚରା କରିପାରିବେ ବୋଲି ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ।