ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା । ପୂଜକ ହେବା ପାଇଁ ତିନି ହଜାର ଲୋକ କଲେ ଆବେଦନ

140

କନକ ବ୍ୟୁରୋ : -ଅଯୋଧ୍ୟା ରାମମନ୍ଦିରର ପୂଜକ ହେବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ । କିଛି ଦିନ ତଳେ ଆମେ ଆପଣଙ୍କୁ ଦେଖାଇଥିଲୁ, କିଭଳି ରାମ ମନ୍ଦିର ପୂଜକ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବିଜ୍ଞପ୍ତି ପରେ ୩ହଜାରରୁ ଅଧିକ ଆବେଦନ ଆସିଛି । ରାମ ମନ୍ଦିର ପୂଜକ ପାଇଁ ଗତ ମାସରେ ବିଜ୍ଞାପନ ଦିଆଯାଇଥିଲା । ଏହାପରେ ୩ହଜାରରୁ ଅଧିକ ଆଶାୟୀ ଏଥିପାଇଁ ଆବେଦନ କରିସାରିଛନ୍ତି ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ଏହି ବିଜ୍ଞାପନ ପ୍ରକାଶ ପାଇଥିଲା । ୩ହଜାର ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୨ଶହ ଜଣଙ୍କୁ ବଛାଯାଇଛି । ଏମାନଙ୍କର ପୁଣି ଥରେ ସାକ୍ଷାତକାର ଚାଲିଛି । ଏହି ୨ଶହ ଜଣଙ୍କ ମଧ୍ୟରୁ ୨୦ଜଣଙ୍କୁ ଚୂଡାନ୍ତ ଭାବେ ଚୟନ କରାଯିବ ।

ସୂଚନା ଅନୁସାରେ ବଛାଯାଇଥିବ ୨୦ଜଣଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ ୬ମାସ ତାଲିମ ପରେ ନିଯୁକ୍ତି ମିଳିବ । ତାଲିମ ବେଳେ ୨ହଜାର ଟଙ୍କା ଛାତ୍ରବୃତ୍ତି ମଧ୍ୟ ଦିଆଯିବ । କେବଳ ପଣ୍ଡିତମାନେ ଦେବେ ତାଲିମ । ରହିବା ଓ ଖାଇବା ସୁବିଧା ଯୋଗାଇ ଦିଆଯିବ । ଚୟନ ବେଳେ ପୂଜା ବିଧି ସମ୍ପର୍କିତ ପ୍ରଶ୍ନ ପଚରାଯାଇଥିଲା ।

୨୦୨୪ ମସିହାର ଜାନୁଆରୀ ୨୨ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲାଲଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ପ୍ରାଣ ପ୍ରତିଷ୍ଠା ପାଇଁ ମଧ୍ୟାହ୍ନ ୧୨ଟା ୨୦ ମିନିଟ ଧାର୍ଯ୍ୟ କରାଯାଇଛି । ଦୀପତ୍ସୋବ ପରି ରାମମନ୍ଦିର ପ୍ରାଣପ୍ରତିଷ୍ଠାକୁ ବିଶାଳ ଓ ଭବ୍ୟ କରାଯିବ ବୋଲି ସୂଚନା ମିଳିଛି । ଗର୍ଭଗୃହରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।