ଦିଲ୍ଲୀ ପୋଲିସ ହେପାଜତରେ ଚାଷୀ ନେତା ରାକେଶ ଟିକାୟତ । ଜନ୍ତରମନ୍ତର ଯିବା ସମୟରେ ରୋକିଲା ଦିଲ୍ଲୀ ପୋଲିସ ।

107

କନକ ବ୍ୟୁରୋ: ପୋଲିସ ହେପାଜତରେ ଚାଷୀ ନେତା ରାକେଶ ଟିକାୟତ । ରବିବାର ଦିଲ୍ଲୀ ପୋଲିସ ରାକେଶ ଟିକାୟତଙ୍କୁ ବର୍ଡର ଉପରୁ ହିଁ ନିଜ ହେପାଜତକୁ ନେଇଯାଇଛି । ତେବେ ବର୍ତ୍ତମାନ ତାଙ୍କୁ ଦିଲ୍ଲୀର ମଧୁବିହାର ପୋଲିସ ଷ୍ଟେସନରେ ରଖାଯିବା ସହିତ ପଚରାଉଚୁରା କରାଯାଉଥିବା ସୂଚନା ରହିଛି । ଏନେଇ ନିଜେ ରାକେଶ ଟିକାୟତ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ରାକେଶ ଟିକାୟତ ବେରୋଜଗାରୀ ବିରୋଧରେ ଦିଲ୍ଲୀର ଜନ୍ତର-ମନ୍ତରରେ ଏକ ବିରୋଧ ପ୍ରଦର୍ଶନରେ ଭାଗ ନେବାକୁ ଯାଉଥିଲେ । ଏହି ସମୟରେ ଦିଲ୍ଲୀ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇ ପଚରାଉଚୁରା କରୁଛି । ଭାରତୀୟ କିଷାନ ସଂଘର୍ଷର ରାଷ୍ଟ୍ରୀୟ ପ୍ରବକ୍ତା ତଥା ସଂଯୁକ୍ତ କିସାନ ମୋର୍ଚ୍ଚାର ପ୍ରମୁଖ ଚେହେରା ରାକେଶ ଟିକାୟତ ଟୁଇଟ୍ କରି ଲେଖିଛନ୍ତି, ସରକାର ଇସାରାରେ କାମ କରୁଥିଲା ଦିଲ୍ଲୀ ପୋଲିସ କୃଷକଙ୍କ ସ୍ୱରକୁ ଦବାଇ ପାରିବନି । ଏ ଗିରଫଦାରୀ ଏକ ନୂଆ କ୍ରାନ୍ତି ନେଇ ଆସିବ । ଏ ସଂଘର୍ଷ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜାରି ରହିବ ବୋଲି ଟିକାୟତ ଲେଖିଛନ୍ତି ।

ତେବେ ଦିଲ୍ଲୀ ପୋଲିସର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଟିକାୟତଙ୍କୁ ଗାଜିପୁର ବର୍ଡରରେ ରୋକା ଯାଇଥିଲା । ସେ ଜନ୍ତର ମନ୍ତର ଯାଉଥିଲେ । ହେପାଜତକୁ ନେବା ପରେ ତାଙ୍କୁ ମଧୁବିହାର ପୋଲିସ ଥାନାକୁ ନିଆଯାଇଛି । ଅନ୍ୟପଟେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆମ୍ ଆଦମୀ ପାର୍ଟିର ନେତା ଗୋପାଳ ରାୟ ଟିକାୟତଙ୍କୁ ନଜରବନ୍ଦୀ କରି ରଖିବାକୁ ନିନ୍ଦା କରିଛନ୍ତି । ଟୁଇଟ୍ କରି ଦିଲ୍ଲୀ ପୋଲିସର ଏଭଳି କାମକୁ ଆପ୍ ନେତା ନିନ୍ଦା କରିଛନ୍ତି ।