ରାଜ୍ୟସଭା ନିର୍ବାଚନ : ୭ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ କାଟିଲା ବିଜେପି, ମାତ୍ର ୪ ଜଣଙ୍କୁ ସୁଯୋଗ

844

କନକ ବ୍ୟୁରୋ : ରାଜ୍ୟସଭାର ୫୬ ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ତା ମଧ୍ୟରୁ ବିଜେପି ଏପର୍ଯ୍ୟନ୍ତ ୨୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସବୁଠାରୁ ବଡ କଥା ହେଉଛି ବିଜେପି ୭ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ ଏଥର କାଟିଦେଇଛି । ବିଜେପି ତରଫରୁ ଜାରି କରାଯାଇଥିବା ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ୭ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ନାହିଁ । ଅନୁମାନ କରାଯାଉଛି କି, ବିଜେପି ସେହି ୭ ଜଣ ମନ୍ତ୍ରୀଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପାର୍ଟିର ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଏଲ ମୁରଗନଙ୍କୁ ଦଳ ଦ୍ୱିତୀୟଥର ପାଇଁ ରାଜ୍ୟସଭା ଟିକେଟ ଦେଇଛି ।

ସେପଟେ କେନ୍ଦ୍ରରେ ମନ୍ତ୍ରୀଥିବା ଭୂପେନ୍ଦ୍ର ଯାଦବ, ଧର୍ମେନ୍ଦ୍ର ପ୍ରଧାନ, ପୁରୁଷୋତ୍ତମ ରୂପାଲ, ନାରାୟଣ ରାଣେ ଓ ବି ମୂରଲୀଧରନ, ରାଜୀବ ଚନ୍ଦ୍ରଶେଖରଙ୍କୁ ରାଜ୍ୟସଭା ଟିକେଟ ମିଳିନାହିଁ । ସେହିଭଳି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର, ସୁଶୀଲ ମୋଦୀ ଓ ଅନୀଲ ବଲୁନୀଙ୍କ ନାମ ବି ତାଲିକାରୁ ଗାଏବ ହୋଇଛି । ଅନୁମାନ କରାଯାଉଛି କି, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଗୁଜରାଟ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡିଶା, ଆଇଟି ମନ୍ତ୍ରୀ (ରାଜ୍ୟ) ରାଜୀବ ଚନ୍ଦ୍ରଶେଖରଙ୍କ ବେଙ୍ଗାଲୁରୁରୁ ଲୋକସଭା ନିର୍ବାଚନ ପାଇଁ ଦଳ ପ୍ରାର୍ଥୀ କରିପାରେ ।