ପ୍ରାର୍ଥୀ ତାଲିକା ଘୋଷଣା ପରେ ମଧ୍ୟପ୍ରଦେଶ କଂଗ୍ରେସର କନ୍ଦଳ । ରାଜସ୍ଥାନ ପାଇଁ କଂଗ୍ରେସର ପ୍ରଥମ ଓ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

122

କନକ ବ୍ୟୁରୋ : ପଦାରେ ପଡିଲା ମଧ୍ୟପ୍ରଦେଶ କଂଗ୍ରେସରେ କନ୍ଦଳ । ଦଳ ଜାରି କରିଥିବା ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କିଛି ଆଶାୟୀଙ୍କୁ ଟିକେଟ ନମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଟିକେଟ ଭାଗବଂଟାରେ ପାତରଅନ୍ତର ହୋଇଥିବା ଅଭିଯୋଗ କରି ଦଳୀୟ କର୍ମୀ ତୁମୁଳାକାଣ୍ଡ କରିଛନ୍ତି । କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ପୋଡାଜଳା କରିବା ସହ ପ୍ରଦେଶ ଅଧ୍ୟକ୍ଷକଙ୍କ ବାସଭବନ ଉପରକୁ ଗୋବର ପାଣି ଫିଙ୍ଗିଛନ୍ତି । କର୍ମୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି କମଲନାଥ, ଦିଗବିଜୟ ପରି କଂଗ୍ରେସର ବରିଷ୍ଠ ନେତା । ନେତାଙ୍କ କୁଶପୁତଳିକା ଦାହ କରିବା ସହ ଫଟୋରେ ଚପଲମାଡ କରିଛନ୍ତି କର୍ମୀ । ସେପଟେ ଟିକେଟ ନପାଇବାରୁ ପ୍ରଦେଶ କଂଗ୍ରେସ ଉପାଧ୍ୟକ୍ଷ ଦାମୋଦର ଯାଦବ ପଦରୁ ଇସ୍ତଫା ଦେଇଛନ୍ତି ।

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ସରଦାରପୁରରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଟୋଙ୍କ ଆସନରୁ ସଚିନ ପାଇଲଟଙ୍କୁ ପ୍ରାର୍ଥୀ କଲା ଦଳ । ପ୍ରଥମ ପର୍ଯ୍ୟାୟରେ ୩୩ଟି ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂଙ୍କୁ ଦଳ ଲକ୍ଷ୍ମଣଗଡ଼ରୁ ପ୍ରାର୍ଥୀ କରିଥିବା ବେଳେ ଦଳର ବରିଷ୍ଠ ନେତା ସିପି ଯୋଶୀଙ୍କୁ ନାଥୱାଡା ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରାଯାଇଛି । ଅନ୍ୟପଟେ ବିଜେପି ମଧ୍ୟ ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଦଳ ଟିକେଟ ଦେବ କି ନାହିଁ ଚର୍ଚ୍ଚା ଉପରେ ପୂଣ୍ଣଛେଦ ପଡିଛି । ବସୁନ୍ଧରାଙ୍କୁ ଦଳ ନିଜର ଚିରାଚରିତ ଆସନ ଝାଲରାପାଟନରୁ ପ୍ରାର୍ଥୀ କରିଛି ।