ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା। ଲଘୁଚାପ ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ବହିଲା ପାଣି।

113

କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବେହାଲ ହୋଇପଡ଼ିଛି ବିଭିନ୍ନ ଜିଲ୍ଲା । ମାଲକାନଗିରିରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାଲକାନଗିରି ମୋଟୁ ସୀମା କୋଇଗୁରୁ ଅଞ୍ଚଳରେ ଭରା ନଦୀରେ ଯାତ୍ରୀବାହୀ ବସ୍ ପାରି ହେଉଥିବା ଚିତ୍ର ସାମନାକୁ ଆସିଛି । ନଦୀର ଜଳସ୍ତର ବଢୁଥିବା ବେଳେ ବିପଦସଙ୍କୁଳ ଅବସ୍ଥାରେ ଏହି ଯାତ୍ରୀବାହୀ ବସ୍ ଓ ଟ୍ରକ୍ ପାର ହେଉଥିବା ଦେଖିବାକୁ ମିଳିଥିଲା । ତେବେ ମୋଟୁ ଦେଇ ହାଇଦ୍ରାବାଦ ଓ ଦକ୍ଷିଣ ଭାରତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।

ଗଂଜାମ ଜିଲ୍ଲା ପୋଲସରାରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ତଳିଆ ଅଂଚଳରେ ପାଣି ଛାଡୁନାହିଁ । ଡୁଙ୍ଗୁରି ଗାଁର ରାସ୍ତା ଉପରେ ଦୁଇ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଛି । ଆଗକୁ ଯଦି ବର୍ଷାର ପରିମାଣ ବଢେ ତେବେ ଡିଙ୍ଗୁରି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି । ସେହିଭଳି କୋର୍ଣାକ-ପୁରୀ ବେଳାଭୂମି ନିକଟରେ କୁଳ ଲଂଘୁଛି ଅଶ।।ନ୍ତ ସମୁଦ୍ର । ବର୍ଷାରେ ସତ୍ୱେ ପର୍ଯ୍ୟଟକଙ୍କ ଭିଡ଼ ରହୁଥିବା ଇକୋ ରିଟ୍ରିଟ ରାସ୍ତାର କିଛି ଅଂଶ ଧୋଇଯାଇଛି । ନିକଟରେ ଥିବା ସୁରକ୍ଷା ପ୍ରାଚୀର ମଧ୍ୟ ଭୁଷୁଡ଼ି ପଡ଼ିଛି । ଅଶାନ୍ତ ସମୁଦ୍ରକୁ ଦେଖି ଭୟ ଭିତରେ ରହୁଛନ୍ତି ୫ରୁ ଅଧିକ ଉପକୂଳବର୍ତୀ ଗାଁର ଲୋକେ ।

ଉପକୂଳରୁ ଦକ୍ଷିଣ ଓଡିଶା ପ୍ରାୟ ସବୁ ଅଂଚଳ ବର୍ଷାରେ ବେହାଲ । ବର୍ଷା ଯୋଗୁଁ ଗଜପତି ଜିଲ୍ଲା ମୋହନା ହରଭଙ୍ଗି ନଦୀ ଜଳର ସ୍ତର ବୃଦ୍ଧି ପାଇବା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମୋହନାକୁ ସଂଯୋଗ କରୁଥିବା ବାଢେଇପୁର ଗାଁରୁ ନେଇ ଗୁଣ୍ଡିଗୁଡ଼ା, ଧନୁପଙ୍କ ଓ ନୂଆ ସାହିକୁ ଗମନାଗମନ ପୁରା ଠପ୍ ହୋଇଯାଇଛି । ନବରଙ୍ଗପୁରରେ ନିର୍ମାଣଧୀନ ବ୍ରିଜରେ ଫସି ଯାଇଥିଲେ ୧୨ ଜଣ ଶ୍ରମିକ । କୋଷାଗୁମୁଡା ବ୍ଲକ ଚିର୍ମା ବ୍ରିଜ ନିକଟରେ ଘଟିଥିଲା ଏହି ଘଟଣା । ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ୱାରା ଇନ୍ଦ୍ରାବତୀ ନଦୀ ଉପରେ ଏକ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଥିଲା । ସେଠାରେ କାମ କରିବାକୁ ଯାଇଥିବା ୧୨ ଜଣ ଶ୍ରମିକ ଏକ ଅସ୍ଥାୟୀ ଟିଣ ଘରେ ରହୁଥିଲେ । ବର୍ଷା ହେବାରୁ ପାଣିମାଡ଼ି ଯିବାରୁ ଶ୍ରମିକମାନେ ଭୟଭୀତ ହୋଇ ନିର୍ମାଣଧୀନ ବ୍ରିଜ ଉପରକୁ ଚଢିଯାଇଥିଲେ । ଶ୍ରମିକମାନେ ଫଶିରହିଥିବା ଜାଣି ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଗଂଜିଆଗୁଡ଼ା ଠାରେ ମଧ୍ୟ ଘଟିଛି ଅଘଟଣ । ଦୋକାନ ସାମଗ୍ରୀ କିଣିବାକୁ ଯାଇ ନଦୀପାର ହେବା ସମୟରେ ବୁଡ଼ି ପ୍ରାଣ ହରାଇଛନ୍ତି ଜଣେ ୬୫ ବର୍ଷିୟ ବୃଦ୍ଧା । ମୃତ ବୃଦ୍ଧା ଜଣକ ଗଞ୍ଜିଆଗୁଡ଼ା ଗାଁ ଲକି ସାନ୍ତ୍ରାଙ୍କ ପତ୍ନୀ କନେ ସାନ୍ତା ।