ଦଶହରାକୁ ଭିଜେଇବ ବର୍ଷା ! ପାଣିପାଗ ବିଭାଗର ପୂର୍ବାନୁମାନ, ୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

5,342

କନକ ବ୍ୟୁରୋ : ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଉତ୍ତର ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ। ତେବେ ୬ ତାରିଖଠାରୁ ପାଗରେ ପରିବର୍ତନ ଆସିବ। ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ। ନବମୀ ଓ ଦଶମୀ ତଥା ଦଶହରାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ବିହାର ଓ ପୂର୍ବ ଉତ୍ତର ପ୍ରଦେଶରେ ଥିବା ଲଘୁଚାପ ବଳୟର ପ୍ରକୋପ ଶୁକ୍ରବାରଠାରୁ କମିବ। ୬ ତାରିଖ ବେଳକୁ ପଶ୍ଚିମବଙ୍ଗ, ଓଡ଼ିଶା ଉପରେ ଏକ ବିସ୍ତୃତ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତେଣୁ ବର୍ତମାନ ରାଜ୍ୟକୁ ବହୁଥିବା ପଶ୍ଚିମା ପବନ ପରିବର୍ତେ ସାମୁଦ୍ରିକ ପୂର୍ବା ପବନ ବହିବ। ଫଳରେ ରାଜ୍ୟରେ ବର୍ଷା ହେବ।

ଅନୁମାନ କରାଯାଉଛି ଯେ ୪ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କାଁ ଭାଁ ବର୍ଷା ହୋଇପାରେ। ୭ ତାରିଖରେ ବର୍ଷା ବଢ଼ିବ। ଅନେକ ସ୍ଥାନରେ ସ୍ବଳ୍ପ ବର୍ଷା(୧୫ ମିମିରୁ କମ୍) ଓ ଅଳ୍ପ କେତେକ ସ୍ଥାନରେ ମଧ୍ୟମ ଧରଣ ବର୍ଷା(୧୫ରୁ ୨୫ ମିମି) ହୋଇପାରେ। ୮ ଓ ୯ ତାରିଖରେ ସମସ୍ତ ସ୍ଥାନରେ ମଧ୍ୟମଧରଣର ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ(୩୫ ମିମିରୁ ଅଧିକ) ବର୍ଷା ହେବାର ସମ୍ଭାବନା ରହିଛି। ୧୦ରୁ ୧୨ ତାରିଖ ଯାଏ ମଧ୍ୟ ବର୍ଷା ହେବ। ତେବେ ପରିମାଣ କମିବ। ୫ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପାଗ ଶୁଖିଲା ରହିବ। ୬ ତାରିଖରେ କେତେକ ସ୍ଥାନରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ୭ ଓ ୮ରେ ବର୍ଷା ବଢ଼ିବ ଓ ସମସ୍ତ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହେବ।

୯ରୁ ୧୨ ତାରିଖ ମଧ୍ୟରେ ବର୍ଷାର ପରିମାଣ କମିଲେ ମଧ୍ୟ ପ୍ରତ୍ୟେକ ଦିନ ବର୍ଷା ଲାଗିରହିବ। ପଶ୍ଚିମବଙ୍ଗ, ଓଡ଼ିଶା ଓ ଛତିଶଗଡ଼ରେ କୁମାରପୂର୍ଣ୍ଣିମା ପରେ ଅର୍ଥାତ୍ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି। ରାଜ୍ୟରେ ମୌସୁମୀ ବର୍ଷା ୨୨ ତାରିଖରେ ପ୍ରତ୍ୟାବର୍ତନ କରିବାର ସମ୍ଭାବନା ରହିଛି।