ହସପିଟାଲରେ ଚାଲିଛି ରାହୁଲର ଚିକିତ୍ସା, ଆସୁଛି ସ୍ୱାସ୍ଥ୍ୟବସ୍ଥାରେ ସୁଧାର। ଭାଇରାଲ ହେଲା ମାଆ ସହ ମିଳନର ଦୃଶ୍ୟ।

131

କନକ ବ୍ୟୁରୋ: ବୋରୱେଲ ଭିତରୁ ସୁରକ୍ଷିତ ଉଦ୍ଧାର ପରେ, ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଥିବା ରାହୁଲର ମା ସହ ଫଟୋ ଅନେକ କଥା ବୟାନ କରୁଛି । ୬୦ ଫୁଟ ମାଟି ତଳେ, ବୋରୱେଲ ଭିତରେ ୧୦୫ଘଣ୍ଟା ଫସି ରହିବା ପରେ ପୁଅକୁ ପାଖରେ ପାଇ ମା ନିଜ କୋହକୁ ରୋକି ପାରୁନି । କାନ୍ଦି କାନ୍ଦି ପୁଅକୁ କୁଣ୍ଢେଇ ପକାଉଛି । କାରଣ ପ୍ରାୟ ୫ଦିନ ଭିତରେ ମା ମନକୁ ଅନେକ ସମୟରେ ଅନେକ ପାପ ଛୁଇଁଛି । ନିରୀହ ନିଷ୍ପାପ ପୁଅକୁ ପୁଣି ଥରେ ଜାବୁଡି ଧରି ତାର ଗାଲୁର ଗାଲୁର କଥା ଶୁଣିବ, ହୁଏତ ସେ ସ୍ୱପ୍ନରେ ଭାବି ନଥିବ । କିନ୍ତୁ ସେହି ସ୍ୱପ୍ନ ସତ ହୋଇଛି । ମାର ମମତା ଆଗରେ ହାର ମାନିଛି ମୃତ୍ୟୁ, ଫେରାଇ ଆଣିଛି ପୁଅର ଜୀବନ ।

ଜୀବନ ସଂଗ୍ରାମରେ ବାଜିମାରିଥିବା ପୁଅ ରାହୁଲ ଶୁଣିପାରେ ନାହିଁ କି କଥା କହିପାରେ ନାହିଁ । କିନ୍ତୁ ମା’ ପାଖରେ ଏମିତି ଯାଦୁ ଅଛି, ଯାହାକୁ ଅନୁଭୂତ କରିପାରେ ରାହୁଲ । ଯାହା ହସ୍ପିଟାଲ ବେଡରେ ବି ଦେଖିବାକୁ ମିଳିଛି । ମା,ପୁଅଙ୍କ ଫଟୋ କହୁଛି, ସତେ ଯେମିତି ଦୁହିଁଙ୍କୁ ପାଖରେ ପାଇବା ପରେ ସେମାନଙ୍କୁ ମିଳିଯାଇଛି ସାରା ଦୁନିଆ ।

ରାହୁଲ ଚିକିିତ୍ସିତ ହେଉଥିବା ବିଳାସପୁର ଆପୋଲୋ ହସ୍ପିଟାଲ ଯାଇ ତାକୁ ଭେଟିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଦିଲ୍ଲୀରୁ ଆସି ହସ୍ପିଟାଲ ଯାଇ ରାହୁଲର ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ରାହୁଲର ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁସାରେ ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । କିନ୍ତୁ ସାମାନ୍ୟ ଜ୍ୱର ରହୁଛି । ମେଡିକାଲ ବୁଲେଟିନ୍ ଅନୁସାରେ ରାହୁଲର ଶରୀରର ଅନେକ ସ୍ଥାନରେ ଇନ୍ଫେକ୍ସନ୍ ରହିଛି । ଲଗାତର ପାଣିରେ ରହିଥିବାରୁ ବ୍ଲଡରେ ମଧ୍ୟ ଇନ୍ଫେକ୍ସନ୍ ରହିଛି । ଜୀବାଣୁ ଜନିତ ସଂକ୍ରମଣ ହୋଇଛି । ଅନେକ ରିପୋର୍ଟ ଆସିସାରିଛି ଆଉ କିଛି ରିପୋର୍ଟ ଆସିବା ବାକି ରହିଛି । ୫ରୁ ୬ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ରାହୁଲର ଚିକିତ୍ସା କରୁଛନ୍ତି । ଅଧିକ ଚିକିତ୍ସା ପାଇଁ ଇନ୍ଦ୍ରପ୍ରସ୍ଥ ଆପୋଲୋ ଡାକ୍ତରଙ୍କ ପରାମର୍ଶ ନିଆଯାଉଛି । ୭ ଦିନ ପର୍ଯ୍ୟନ୍ତ ରାହୁଲ ଉପରେ ନଜର ରଖାଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି ।

ସଂକ୍ରମଣ ରହିଥିଲେ ବି ଏବେ ରାହୁଲ ସାଧାରଣ ଖାଦ୍ୟ ଖାଉଥିବା ସୂଚନା ଦେଇଛନ୍ତି ବିଳାସପୁର ସିଡିଏମଓ । ହସ୍ପିଟାଲରେ ରାହୁଲଙ୍କୁ ଭେଟିବା ପରେ ବିଳାସପୁର ସିଡିଏମ୍ଓ ପ୍ରମୋଦ ମହାଜନ କହିଛନ୍ତି, ସକାଳୁ ଉଠିବା ପରେ ରାହୁଲ ଜଳଖିଆ ଖାଇଛି । ଡିହାଇଡ୍ରେସନ୍ ଯୋଗୁ ସୋଡିୟମ୍ ଲେବୁଲ ସାମାନ୍ୟ କମ୍ ରହିଛି । ସେଥିପାଇଁ ସ୍ୱତନ୍ତ୍ର ନଜର ରଖାଯାଇଛି ।

ଗୋଟିଏ ପଟେ ଶ୍ରୀକ୍ଷେତ୍ରରେ ଚାଲିଥିଲା ମହାପ୍ରଭୁଙ୍କ ହାତୀବେଶ, ଅନ୍ୟପଟେ ପ୍ରାୟ ୫ଶହ କିଲୋମିଟର ଦୂର ଛତିଶଗଡର ଚାମ୍ପାରେ ଚାଲିଥିଲା ବୋରୱେଲରେ ଫସିରହିଥିବା ୧୦ବର୍ଷୀୟ ନାବାଳକ ରାହୁଲ ସାହୁର ଉଦ୍ଧାର କାର୍ଯ୍ୟ । ଉଦ୍ଧାର କାର୍ଯ୍ୟ ଯେମିତି ସଫଳତାର ସହ ଶେଷ ହେବ, ସେଥିପାଇଁ କାଳିଆ ଠାକୁରକୁ ଡାକୁଥିଲେ ଲକ୍ଷ ଲକ୍ଷ ଲୋକ । ଭକ୍ତର ଗୁହାରିକୁ ଶୁଣିଥିଲେ ମହାପ୍ରଭୁ, ଶେଷରେ ସଫଳ ହୋଇଥିଲା ରାହୁଲ ଉଦ୍ଧାର ଅଭିଯାନ । ସୁରକ୍ଷିତ ଭାବେ ବୋରୱେଲ ଭିତରୁ ବାହାରକୁ ଆସିଥିଲା ରାହୁଲ ।