ଅନାସ୍ଥା ପ୍ରସ୍ତାବ ବିତର୍କରେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଘେରିଲେ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ କାହିଁକି ମଣିପୁର ଯାଇନାହାନ୍ତି ପ୍ରଶ୍ନ କଲେ କଂଗ୍ରେସ ସାଂସଦ

121

କନକ ବ୍ୟୁରୋ : ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ରାହୁଲ ଗାନ୍ଧୀ କ’ଣ ବିବୃତି ରଖିବେ, ସେହି ଅପେକ୍ଷାରେ ଥିଲେ ଉଭୟ ଶାସକ ଓ ବିରୋଧୀ । ରାହୁଲ ଯେଉଁଭଳି ଢଙ୍ଗରେ ଗୃହରେ ବିତର୍କ ରଖିଲେ, ବୋଧହୁଏ ପୂର୍ବରୁ ତାଙ୍କର ଏଭଳି ଆଭିମୁଖ୍ୟ ଦେଖିବାକୁ ମିଳିନଥିଲା । ମଣିପୁର ପ୍ରସଙ୍ଗକୁ ନେଇ ପୂରା ଆକ୍ରମଣାତ୍ମକ ଢଙ୍ଗରେ ମୋଦୀ ସରକାରକୁ ଘେରିଥିଲେ କଂଗ୍ରେସ ସାଂସଦ । ମଣିପୁରର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରି କହିଛନ୍ତି, ବିଜେପିର ରାଜନୀତି ମଣିପୁରରେ ହିନ୍ଦୁସ୍ତାନ ଓ ଭାରତ ମାତାକୁ ହତ୍ୟା ହୋଇଛି । ରାହୁଲଙ୍କ ଏହି ଟିପ୍ପଣୀ ପରେ ଗୃହରେ ଶାସକ ଦଳର ସାଂସଦ ଛିଡ଼ା ହୋଇଯାଇଥିଲେ ଏବଂ ରାହୁଲଙ୍କ ବିରୋଧ କରିଥିଲେ ।

ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି,
– ମଣିପୁରରେ ଯେଉଁଭଳି ଭାବେ ନିରୀହ ଲୋକଙ୍କ ସହ ଭାରତ ମାତାର ହତ୍ୟା କରାଯାଇଛି
– ମୋର ଗୋଟିଏ ମାଆ ଏଠାରେ ବସିଛନ୍ତି ଏବଂ ଦ୍ୱିତୀୟ ମାଆକୁ ମଣିପୁରରେ ହତ୍ୟା କରାଯାଇଛି
– ଆପଣ ଦେଶପ୍ରେମୀ ନୁହଁନ୍ତି, ଆପଣ ଦେଶଦ୍ରୋହୀ
– ପ୍ରଧାନମନ୍ତ୍ରୀ ଥରେ ବି ମଣିପୁର ଯାଇନାହାନ୍ତି, ତାଙ୍କ ପାଇଁ କ’ଣ ମଣିପୁର ହିନ୍ଦୁସ୍ତାନର ଅଂଶ ନୁହେଁ କି?
– ମଣିପୁର କି ଦେଶ ପାଇଁ ଆଦୌ ଚିନ୍ତିତ ନୁହଁନ୍ତି ପ୍ରଧାନମନ୍ତ୍ରୀ
– ରାବଣ ସବୁବେଳେ ମେଘନାଥ ଓ କୁମ୍ଭକର୍ଣ୍ଣଙ୍କ କଥା ଶୁଣୁଥିଲା
– ଠିକ୍ ସେହି ପ୍ରଧାନମନ୍ତ୍ରୀ କେବଳ ଦୁଇଟି ଲୋକଙ୍କ କଥା ଶୁଣୁଛନ୍ତି, ଜଣେ ଅମିତ୍ ଶାହ ଓ ଅନ୍ୟଜଣେ ଅଦାନୀ
– ଲଙ୍କାକୁ ହନୁମାନ ଜଳାଇନଥିଲେ, ଲଙ୍କାକୁ ଜଳାଇଥିଲା ଅହଙ୍କାର
– ରାମ ରାବଣକୁ ମାରିନଥିଲେ, ଅହଙ୍କାର ହିଁ ରାବଣକୁ ମାରିଥିଲା

ସେପଟେ ରାହୁଲଙ୍କ ଆକ୍ରମଣର ପାଲଟା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କେବଳ ମଣିପୁର ନୁହେଁ, ବିଭିନ୍ନ ପ୍ରସଙ୍ଗ ନେଇ କଂଗ୍ରେସ ଓ ରାହୁଲଙ୍କୁ ପାଲଟା ଆକ୍ରମଣ କରିଛନ୍ତି । ଗୃହରେ ବିତୃତି ରଖି ସ୍ମୃତି ଇରାନୀ କହିଛନ୍ତି, ମଣିପୁର ବିଖଣ୍ଡିତ ନୁହେଁ କି ବିଭାଜିତ ନୁହେଁ । ମଣିପୁର ଦେଶର ଅଭିନ୍ନ ଅଙ୍ଗ । ବିତର୍କରେ ସ୍ମୃତି ଇରାନୀ କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଏବଂ ଅଦାନୀ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଛନ୍ତି ।

– କାଶ୍ମୀରର ସତ୍ୟତାକୁ ଏଜେଣ୍ଡା ବୋଲି କହି ଦେଶବାସୀଙ୍କୁ ଭ୍ରମିତ କରୁଛି କଂଗ୍ରେସ
– କ’ଣ କଶ୍ମୀର ଲୋକଙ୍କ ସ୍ୱର ଦେଶର ସ୍ୱର ନୁହେଁ?
– କାଶ୍ମୀରରେ ଅତି ବର୍ବରତାର ସହ ମହିଳାଙ୍କୁ ହତ୍ୟା କରାଗଲା
– ଭାରତ ମାତାର ହତ୍ୟାର ଆଲୋଚନା ଉପରେ କଂଗ୍ରେସ ନେତା ତାଳି ମାରିବା ବିଶ୍ୱାସଘାତକର ବାର୍ତ୍ତା ଦେଉଛି
– ମଣିପୁର ପ୍ରସଙ୍ଗ ଉପରେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ବିରୋଧୀ ଅରାଜି
– ଅଦାନୀଙ୍କୁ ୭୨ ହଜାର କୋଟି ଟଙ୍କାର ଋଣ କିଏ ଦେଇଥିଲା?
– ଅଦାନୀ ରାଜସ୍ଥାନରେ ୬୦ହଜାର କୋଟି ଟଙ୍କାର ଚୁକ୍ତି ଅଶୋକ ଗେହଲଟଙ୍କ ସହ କରିଥିଲେ
– ରାଜସ୍ଥାନରେ ୩୦ହଜାର ଏକର ଜାଗା ମଧ୍ୟ କିଣିଥିଲେ ଅଦାନୀ

ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ବିଜେପି ଓ କଂଗ୍ରେସର ଆରୋପ ପ୍ରତ୍ୟାରୋପକୁ ନେଇ ଗୃହ ବେଶ୍ ସରଗରମ ରହିଥିଲା । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ନିଜ ବିବୃତି ରଖିବେ । ବିରୋଧୀ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ କ’ଣ କହିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।