ବିଜେଡି ଫୋକସରେ ଆଦିବାସୀ । କାହା ସପକ୍ଷରେ ଯିବ ୨୨ ପ୍ରତିଶତ ଭୋଟ୍?

99

କନକ ବ୍ୟୁରୋ: ଆଦିବାସୀ ଚେହେରା ଦ୍ରୈାପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଓଡିଶାର ଆଦିବାସୀ ଭୋଟ କାହା ସପକ୍ଷରେ ଯିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା  । ଆଉ ଏହାରି ଭିତରେ ଆଦିବାସୀ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ବିଜେଡି ପାଳନ କରିଛି ବିଶ୍ୱ ଆଦିବାସୀ ଦିବସ । ଏଥିରେ ସାରା ଓଡିଶାର ଆଦିବାସୀ ନେତା ଓ ବିଭିନ୍ନ ଜନଜାତିକୁ ଏକତ୍ରିତ କରାଯାଇଛି । ତେଣୁ ଆଦିବାସୀ ଏବେ ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁକୁ ଆସି ସାରିଛନ୍ତି । ଖାଲି ଦଳୀୟ କାର୍ଯ୍ୟକ୍ରମ ନୁହେଁ ଆଦିବାସୀଙ୍କ ପାଇଁ ମୋ ଜଙ୍ଗଲ ଜମି ଯୋଜନାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାର ଉଦ୍ଦେଶ୍ୟ ହେଉଛି…

  • ଜନଜାତି ସମ୍ପତ୍ତିର ସୁରକ୍ଷା
  • ଜଙ୍ଗଲ ଅଧିକାରାକୁ ସୁନିଶ୍ଚିତ କରିବା
  • ଜଙ୍ଗଲର ଜୈବ ବିବିଧତାର ସଂରକ୍ଷଣ
  • ସର୍ଭେ ହୋଇନଥିବା ତଥା ଜଙ୍ଗଲ ଗ୍ରାମଗୁଡିକୁ ରାଜସ୍ୱ ଗ୍ରାମର ମାନ୍ୟତା

ସେପଟେ ବିଜେଡିର ଆଦିବାସୀ ଦିବସ ପାଳନ ନେଇ କଟାକ୍ଷ କରିଛନ୍ତି ବିରୋଧୀ । ନିର୍ବାଚନକୁ ଆଖି ଆଗରେ ରଖି ଆଦିବାସୀ ଦିବସ ପାଳନ କରୁଛି ବିଜେଡି ।  ଅନୁସୂଚିତ ଜନଜାତି ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହୁନାହାନ୍ତି । ୫୦ ପ୍ରତିଶତ ଆଦିବାସୀ ଏବେ ବି ଗରିବ ବୋଲି କହିଛି ବିଜେପି । କଂଗ୍ରେସ ମଧ୍ୟ ସମାନ କଥା କହି ବିଜେଡିକୁ ସମାଲୋଚନା କରିଛି  । ଆଉ ବିଜେଡି କହିଛି ସରକାର ସବୁବେଳେ ଆଦିବାସୀ ବିକାଶ ସହ ଅଛନ୍ତି ।

ରାଜ୍ୟରେ ମୋଟ ଜନସଂଖ୍ୟାର ୨୨ ପ୍ରତିଶତ ଅର୍ଥାତ ୮୦ ଲକ୍ଷ ହେଉଛନ୍ତି ଆଦିବାସୀ । ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ୩୩ ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ମୟୁରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ନବରଙ୍ଗପୁର ଓ କୋରାପୁଟ ଲୋକସଭା ଆସନ ମଧ୍ୟ ଆଦିବାସୀଙ୍କ ପାଇଁ ସଂରକ୍ଷିତ । ତେଣୁ ଏହି ଆସନକୁ ଅକ୍ତିଆର କରିବାକୁ ଏବେଠୁ କସରତ ଆରମ୍ଭ କରିଦେଇଛନ୍ତି ୩ ପ୍ରମୁଖ ଦଳ ।