ରାହୁଲଙ୍କୁ ଉପହାରରେ କୋହଲି ଦେଲେ ୨ କୋଟିର କାର । ଜାଣନ୍ତୁ ନବଦମ୍ପତିଙ୍କୁ ଧୋନି ଓ ସଲମାନ ଦେଲେ କଣ?

859

କନକ ବ୍ୟୁରୋ : ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଓ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଗତ ୨୩ ଜାନୁଆରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବଲିଉଡ ସୁପରଷ୍ଟାର ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ଫାର୍ମ ହାଉସରେ ଏହି ବିବାହ ଉତ୍ସବ ହୋଇଥିଲା । ତେବେ ଏହି ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ନବଦମ୍ପତିଙ୍କୁ ଉପହାରରେ ଯାହା ମିଳିଛି ତାହା ଏହି ବିବାହକୁ ଆହୁରି ଚର୍ଚ୍ଚିତ କରିଛି । ଉଭୟ ରାହୁଲ ଓ ଆଥିୟାଙ୍କ ସର୍ମ୍ପକୀୟ ଓ ବନ୍ଧୁଙ୍କ ପାଖରୁ ମହଙ୍ଗା ଉପହାର ମିଳିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ କ୍ରିକେଟ ଟିମର ଅନେକ ଖେଳାଳି ରାହୁଲଙ୍କ ବିବାହ ଉତ୍ସବରେ ସାମିଲ ହୋଇପାରିନଥିଲେ । କିନ୍ତୁ ବିବାହକୁ ଆସିନଥିଲେ ମଧ୍ୟ ମହଙ୍ଗା ଉପହାର ଦେବାକୁ ଭୁଲିନଥିଲେ ରାହୁଲଙ୍କ ସାଥୀ ଖେଳାଳି । ଆଉ ଟିମମେଟ୍ ବିରାଟଙ୍କ ଗିଫ୍ଟକୁ ନେଇ ଅଧିକ ଚର୍ଚ୍ଚା ହେଉଛି ।

ରାହୁଲଙ୍କ ଘନିଷ୍ଠ ଟିମମେଟ୍ ଭାବେ ଜଣାଶୁଣା ବିରାଟ ନ୍ୟୁଜିଲାଣ୍ଡ ସିରିଜ ପାଇଁ ବିବାହ ଉତ୍ସବରେ ସାମିଲ ହୋଇପାରିନଥିଲେ କିନ୍ତୁ ଉପହାରରେ ୨ କୋଟିରୁ ଅଧିକ ଟଙ୍କାର ବିଏମଡବ୍ଲୁ କାର ଗିଫ୍ଟ କରିଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିରାଟ ବିଏମଡବ୍ଲୁର ଲାଟେଷ୍ଟ ମଡେଲର କାର ଗିଫ୍ଟ କରିଛନ୍ତି । ଏହି କାର ମାତ୍ର ୫.୪ ସେକେଣ୍ଡ ମଧ୍ୟରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଗତି କରିପାରିବ ।

ସେହିଭଳି ରାହୁଲଙ୍କ ବିବାହ ଉତ୍ସବରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସାମିଲ ହେବା ସହ ଉପହାରରେ ଏକ କାୱାସିକ୍ ବାଇକ ଦେଇଛନ୍ତି । ଯାହାର ମୂଲ୍ୟ ପାଖାପାଖି ୮୦ ଲକ୍ଷ ଟଙ୍କା ହେବ । ଏହା ଭାରତରେ କାୱାସିକ ମଡେଲର ସବୁଠୁ ମହଙ୍ଗା ବାଇକ୍ ବୋଲି କୁହାଯାଉଛି । ଯେହେତୁ ଧୋନୀ ନିଜେ ବାଇକ ଚଳାଇବାକୁ ଅଧିକ ପସନ୍ଦ କରନ୍ତି ତେଣୁ ରାହୁଲଙ୍କୁ ଉପହାରରେ ଏକ ବାଇକ ଦେଇଛନ୍ତି ।

ଗୋଟିଏ ପଟେ ରାହୁଲଙ୍କ ସାଥୀ ଖେଳାଳି ବିବାହ ଉପହାରରେ ଦାମୀ ଗାଡି, ବାଇକ ଦେଇଥିବା ବେଳେ ସୁନୀଲ ସେଟ୍ଟିଙ୍କ ନିମନ୍ତ୍ରଣକ୍ରମେ ବିବାହ ଉତ୍ସବରେ ସାମିଲ ହୋଇଥିବା ବଲିଉଡ ସୁପରଷ୍ଟାର ସଲମାନ ଖାନ୍ ମଧ୍ୟ ନବଦମ୍ପତ୍ତିଙ୍କୁ ଏକ ଅଡି କାର ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ଦେଢ କୋଟି ଟଙ୍କାରୁ ଅଧିକ ରହିଛି । ସଲମାନ ଯେଉଁ ଅଡି କାର ଉପହାରରେ ଦେଇଛନ୍ତି ତାହା ମାତ୍ର ୫.୭ ସେକେଣ୍ଡରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଗଡିପାରିବ । ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୨୫୦ କିଲୋମିଟର ରହିଛି । ସେହିଭଳି ଜ୍ୟାକି ଶ୍ରଫ୍ ନବଦମ୍ପତ୍ତିଙ୍କୁ ମହଙ୍ଗା ଘଡି ଉପହାରରେ ଦେଇଛନ୍ତି ।

ଏସବୁ ଭିତରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଝିଅଙ୍କ ବାପା ଭାବେ ସୁନୀଲ ସେଟ୍ଟୀ ଉଭୟ ଆଥିୟା ଓ ରାହୁଲଙ୍କୁ ମୁମ୍ବାଇରେ ୫୦ କୋଟି ଟଙ୍କାର ଏକ ଘର ଉପହାରରେ ଦେଇଛନ୍ତି । ତେବେ ଏନେଇ ଉଭୟ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଅନ୍ୟପଟେ ଆଇପିଏଲ ପରେ ରାହୁଲଙ୍କ ତରଫରୁ ବଡ ରିସେପସନ୍ ପାର୍ଟି ଦିଆଯିବ । ଯାହା ଫଳରେ ସମସ୍ତ କ୍ରିକେଟର ଓ ଫିଲ୍ମ ଜଗତ ସହ ଜଡିତ ବ୍ୟକ୍ତି ସାମିଲ ହୋଇପାରିବେ ।