ସ୍ୱାଭିମାନ ଅଞ୍ଚଳରେ ଉଡିଲା ତ୍ରିରଙ୍ଗା : ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀ କଲେ ପତାକା ଉତ୍ତୋଳନ

77

କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ଜାତୀୟ ପତାକା ଉଡାଇଲେ ରାଜ୍ଯ ପୁଲିସ ର ବରିଷ୍ଠ ଅଧିକାରୀ । ସ୍ୱାଭିମାନ ଅଞ୍ଚଳର ଯୋଡ଼ାଆମ୍ବ ଠାରେ ଚାରି ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ରାତ୍ରି ଯାପନ କରିଥିଲେ । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା,ଏଡିଜି ଅପରେସନ ଅମିତାଭ ଠାକୁର, ଏଡିଜି ଏସଆଇଡବ୍ଲୁ ଅନିରୁଧ ସିଂ,ଦଷୀଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ପ୍ରମୁଖ ସ୍ବାଭିମାନ ଅଞ୍ଚଳର ଯୋଡାମ୍ବ ଥାନା ରେ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଗତ କାଲି ପହଞ୍ଚିଥିଲେ ।

ଆଜି ୭୪ ତମ ଗଣତନ୍ତ୍ର ଦିବସ ଅବସରରେ ସମସ୍ତ ଅଧିକାରୀ ଓ ମାଲକାନଗିରି ଏସପି ଓ ବିଏସଏଫ୍ ଅଧିକାରୀମାନେ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ଯୋଡାମ୍ବ ଥାନା ପରିସରରେ ତିରଙ୍ଗା ଉଡାଇ ଲୋକଙ୍କ ସହ ଆଲୋଚନା କରି ଥିଲେ । ସ୍ବାଭିମାନ ଅଞ୍ଚଳବାସୀଙ୍କୁ ନାନା ଉପହାର ପ୍ରଦାନ କରିବା ସହ ସ୍ବାଭିମାନ ଅଞ୍ଚଳବାସୀଙ୍କୁ ସୁରକ୍ଷା ଓ ବିକାଶ ପ୍ରତି ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ଲୋକଙ୍କୁ ବୁଝାଇ ଥିଲେ । ବର୍ଷ କେଇଟା ପୂର୍ବରୁ ସ୍ୱାଭିମାନ ଅଞ୍ଚଳର ଏହି ସବୁ ସ୍ଥାନରେ ତ୍ରିରଙ୍ଗା ଉଡିପାରୁ ନଥିଲା, କଳା ପତାକା ଉଡାଉ ଥିଲେ ମାଓବାଦୀ । ବର୍ତ୍ତମାନ ଗୁରିପ୍ରୀୟା ସେତୁ ନିର୍ମାଣପରେ ସୁରକ୍ଷା ବହିନୀଙ୍କ ଉପସ୍ଥିତି ଯୋଗୁଁ ମାଓବାଦୀଙ୍କ ଦୋବଦବା କମିଛି । ଆଉ ମାଓବାଦୀଙ୍କୁ ମାତ ଦେଇ ସ୍ବାଭିମାନ ଅଂଚଳବାସୀ ଏବେ ବିଜୟ ଦିବସ ପାଳନ କରିବାରେ ସଫଳ ହୋଇଛନ୍ତି ।