ଋଷ ପର୍ଯ୍ୟଟକ ପାଭେଲଙ୍କ ମୃତ୍ୟୁ ଓ ଶବପୋଡ଼ାକୁ ନେଇ ଉଠିଲା ପ୍ରଶ୍ନ । କାହିଁକି ମୃତଦେହ ନେବାକୁ ରାଜି ହେଲେ ନାହିଁ ପରିବାର ଲୋକ?

132

କନକ ବ୍ୟୁରୋ: ଓଡିଶା ହୋଟେଲରେ ଦୁଇ ୠଷୀୟ ପର୍ଯ୍ୟଟକଙ୍କର କେମିତି ମୃତ୍ୟୁ ହେଲା? ଆତ୍ମହତ୍ୟା ନା ହତ୍ୟା ଏନେଇ ସସପେନ୍ସ ଲାଗି ରହିଥିବାବେଳେ ତରବରିଆ ଭାବେ ଉଭୟଙ୍କ ଶବକୁ ପୋଡି ଦେବାକୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଛି । କାରଣ ମୃତ୍ୟୁବରଣ କରିଥିବା ଋଷ୍ ନାଗରିକ ଭ୍ଲାଦିମିର ବିଦାନାଭ ଓ ପାଭେଲ ଆଣ୍ଟୋଭ ଉଭୟ ଖ୍ରୀଷ୍ଟଧର୍ମାବଲମ୍ବୀ ହୋଇଥିଲେ ବି ସେମାନଙ୍କ ଶବକୁ ହିନ୍ଦୁଙ୍କ ଭଳି ପୋଡି ଦିଆଯାଇଛି ।

ତେବେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମୃତ୍ୟୁ ପରେ ସେମାନଙ୍କ ଶବକୁ କବର ଦେବାର ପରମ୍ପରା ରହିଥିଲେ ବି ଏମିତି ଅନ୍ତିମ ସଂସ୍କାର କରିଦିଆଯାଇଛି । ରାୟଗଡା ପୋଲିସ ଓ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୁଇ ଜଣଙ୍କ ଶବକୁ ପୋଡି ଦେଇଛି ପ୍ରଶାସନ । ଯାହାକୁ ନେଇ ପ୍ରଶ୍ନ ଉଠିବା ପରେ ମୁହଁ ଖୋଲିଛନ୍ତି ସ୍ଥାନୀୟ ତହସିଲଦାର । କହିଛନ୍ତି, ଶବଦାହ ପାଇଁ ଋଷ ଦୂତାବାସ ଅନୁମତି ଦେଇଥିଲା । ଏନେଇ ପୋଲିସ ତାଙ୍କୁ ଜଣାଇବା ପରେ ତାଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯାଇଥିଲା ।

  • ଶବ ନେବାକୁ ଚାହିଁନଥିଲେ ପରିବାର
  • ‘ସାଥୀ ପର୍ଯ୍ୟଟକଙ୍କୁ ଦେଇଥିଲେ ଅନ୍ତିମ ସଂସ୍କାର ଦାୟିତ୍ୱ’

ଜାତୀୟ ଗଣାମଧ୍ୟମର ରିପୋର୍ଟ ଅନୁସାରେ ଋଷୀୟ ସାଂସଦ ପାଭେଲଙ୍କର ମୃତ୍ୟୁ ପରେ ତାଙ୍କ ସାଥୀରେ ଥିବା ଅନ୍ୟ ଦୁଇ ପର୍ଯ୍ୟଟକ ତାଙ୍କ ପରିବାରକୁ ଏନେଇ ଜଣାଇଥିଲେ । କିନ୍ତୁ ବିଡମ୍ବନା ଓ ଦୁଃଖର ବିଷୟ ଧନୀ ପାଭେଲଙ୍କ ଶବକୁ ନିଜ ଦେଶକୁ ଫେରାଇ ନେବାକୁ ତାଙ୍କ ପରିବାର ଲୋକ ଇଚ୍ଛା ପ୍ରକାଶ କରିନଥିଲେ । ଏପରିକି ସାଥିରେ ଥିବା ଅନ୍ୟ ଦୁଇ ଜଣଙ୍କୁ ଅନ୍ତିମ ସଂସ୍କାର ସାରି ଦେବା ପାଇଁ ମେଲ ଯୋଗେ ଜଣାଇଥିଲେ । ଆଉ ତାପରେ ପୋଲିସର ସହଯୋଗରେ ପାଭେଲଙ୍କ ଶବ ଦାହ କରାଯାଇଥିଲା । ତେବେ ପାଭେଲଙ୍କ ପରିବାର ଲୋକ ପ୍ରକୃତରେ ମେଲ କରିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ପାଭେଲଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବାରୁ, ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଗାମୀ ଦିନରେ ମେଲର ସତ୍ୟତା ଖୋଜିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

ଋଷ୍ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବାବେଳେ ଆସିଛି ଶବ ବ୍ୟବଛେଦ ରିପୋର୍ଟ । ଦୁହିଁଙ୍କ ମଧ୍ୟରୁ ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଥିବାବେଳେ ସାଂସଦ ପାଭେଲଙ୍କ ବ୍ୟବଛେଦ ରିପୋର୍ଟ ପୋଲିସକୁ ଦିଆଯାଇଛି । ହେଲେ, ପାଭେଲଙ୍କର କେମିତି ମୃତ୍ୟୁ ହେଲା, ମୃତ୍ୟୁର କାରଣ କଣ, ସେ ବିଷୟରେ ଗୁମର ଖୋଲି ନାହାଁନ୍ତି ହସ୍ପିଟାଲ କର୍ତୁପକ୍ଷ କିମ୍ବା ପୋଲିସ ।

ଏପଟେ ମୃତ ପର୍ଯ୍ୟଟକଙ୍କ ଦୁଇ ସାଥୀଙ୍କୁ କ୍ରାଇମବ୍ରାଞ୍ଚର କଟକ ସ୍ଥିତ କାର୍ଯ୍ୟାଳୟକୁ ନିଆଯାଇ ପଚରାଉଚୁରା କରାଯାଉଛି । ତଦନ୍ତ ନସରିବା ପର୍ଯ୍ୟନ୍ତ ଓଡିଶା ନଛାଡିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ସହ ଗାଇଡ୍ ଜିତେନ୍ଦ୍ର ସିଂ ମଧ୍ୟ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି । ତେବେ ଭାଷାଗତ ସମସ୍ୟା ରହୁଥିବାରୁ କ୍ରାଇମବ୍ରାଞ୍ଚ ଅନୁବାଦକଙ୍କ ସହଯୋଗ ଲୋଡିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଜନ୍ମଦିନ ପାଳନ କରିବାକୁ ଓଡିଶା ଆସିଥିବା ସାଂସଦ ପାଭେଲ ଅଚାନକ କାହିଁକି ଆତ୍ମହତ୍ୟା କଲେ ସେ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ପାଭେଲ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ କିଛି ବଡ ଷଡଯନ୍ତ୍ର ରହିଛି ,ସେ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।