ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଆଜି ସୁପ୍ରିମକୋର୍ଟଙ୍କ ରାୟ; କାମ ଚାଲିବ ନା ବନ୍ଦ ହେବ, ତାକୁ ଅପେକ୍ଷା

98

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଶେଷ ହୋଇଛି । ଆଜି ଏହାର ରାୟ ପ୍ରକାଶ ପାଇବ । ଗୁରୁବାର ପାଖାପାଖି ଦେଢ଼ ଘଂଟା ଧରି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହୋଇଥିଲା । ଦୁଇଟି ସ୍ୱତନ୍ତ୍ର ଲିଭ ପିଟିସନ୍ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ବିଆର୍ ଗଭାନି ଓ ଜଷ୍ଟି ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ମାମଲାର ଶୁଣାଣି ହୋଇଥିଲା ।

ପ୍ରଥମ ଆବେଦନକାରୀ ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ପକ୍ଷରୁ ଆଇନଜୀବୀ ମହାଲକ୍ଷ୍ମୀ ପାଭନୀ ଯୁକ୍ତି ଦର୍ଶାଇଥିଲେ ଯେ ‘ଆମସାର’ ଆଇନ୍ ଅନୁଯାୟୀ, ସଂରକ୍ଷିତ ଅଂଚଳରେ କୌଣସି ନିର୍ମାଣ କାର୍ଯ୍ୟ ଲାଗି ରାଜ୍ୟ ସରକାର କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଠାରୁ ଅନୁମତି ନେବାକୁ ବାଧ୍ୟ । ସେ ଆହୁରି କୋର୍ଟ ରୁମରେ କହିଥିଲେ, ରାଜ୍ୟ ସରକାର ଏଥିପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣଙ୍କ ଠାରୁ ନୋ ଅବଜେକ୍ସନ ସାର୍ଟିଫିକେଟ୍ ଆଣିଛନ୍ତି । ହେଲେ ଆଇନ ଅନୁସାରେ ଏଏସଆଇ ହିଁ କୌଣସି ନିର୍ମାଣ କାମ ପାଇଁ ଏନଓସି ଦେବାକୁ କ୍ଷମତାପ୍ରାପ୍ତ ସଂସ୍ଥା । ନିରୀକ୍ଷଣ ରିପୋର୍ଟ କହୁଛି, ଖନନ ସ୍ଥଳରେ ଅପୂରଣୀୟ କ୍ଷତି ହୋଇଛି ।

ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଶୋକ ପରିଡ଼ା, ପିନାକୀ ମିଶ୍ର ଓ କପିଲ ସିବଲ ପକ୍ଷ ରଖି କହିଥିଲେ, ସରକାର ବେଆଇନ୍ ଭାବେ କୌଣସି ଖନନ କାର୍ଯ୍ୟ କରୁନାହାନ୍ତି । ରାଜ୍ୟ ସରକାରଙ୍କ ଓକିଲ ଯୁକ୍ତି ରଖିଥିଲେ ଯେ, ଆମସାର ଆଇନ ଅନୁସାରେ ନ୍ୟାସନାଲ ମନୁମେଣ୍ଟ ଅଥରିଟି ଏବଂ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ କ୍ଷମତାପ୍ରାପ୍ତ ସଂସ୍ଥା । ଶ୍ରୀମନ୍ଦିର ପାଖରେ କରାଯାଉଥିବା କାମ ଆଇନ ଅନୁସାରେ ନିର୍ମାଣ ନୁହେଁ । ଡ୍ରେନ କାମ, ଲୋକଙ୍କ ପାଇଁ ଶୌଚାଳୟ ତିଆରି କିମ୍ବା ପାଣି ଯୋଗାଣ ପାଇଁ ମରାମତି କାମ ଆଇନ ଅନୁସାରେ ନିର୍ମାଣ କାମ ଭିତରେ ଆସୁନାହିଁ ।

ରାଜ୍ୟ ସରକାର କେବଳ ଭକ୍ତଙ୍କୁ ସୁବିଧା ଦେବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ଏନଏମଏର ଅନୁମତି ରହିଛି । ସମସ୍ତ ପକ୍ଷଙ୍କର ତର୍କ ଶୁଣିବା ପରେ ଖଣ୍ଡପୀଠ ରାୟକୁ ସଂରକ୍ଷିତ ରଖିଥିଲେ । ସୂଚନାଯୋଗ୍ୟ, ଶ୍ରୀ ଜଗନ୍ନାଥ ପ୍ରକଳ୍ପ କରିଡରରେ ବେଆଇନ୍ ନିର୍ମାଣ କରାଯାଉଥିବା ଅଭିଯୋଗ କରି ତଥା ହାଇକୋର୍ଟଙ୍କ ଆଦେଶ ବିରୋଧରେ ମେ’ ୨୭ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟରେ ଦୁଇଟି ଏସଏଲପି ଦାଖଲ କରାଯାଇଥିଲା ।