ଖଲିସ୍ତାନୀ ନେତା ଅମୃତପାଲ ସିଂକୁ ଧରିବାକୁ ପଞ୍ଜାବପୋଲିସର ଘେରାବନ୍ଦୀ, ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ

96

କନକ ବ୍ୟୁରୋ : ପଞ୍ଜାବରେ କଟ୍ଟରପନ୍ଥୀ ସଂଗଠନ ‘ବାରିସ ପଞ୍ଜାବ ଦେ’ର ପ୍ରମୁଖ ଅମୃତପାଲ ସିଂଙ୍କୁ ଗିରଫ କରିବାକୁ ରାଜ୍ୟର ୭ଟି ଜିଲ୍ଲାରେ ପୋଲିସ ଘେରାବନ୍ଦୀ କରିଛି । ଜଳନ୍ଧରର ସାହକୋଟ ଗାଁ ମହେତପୁର ନିକଟରେ ଅମୃତପାଲ ସିଂ ଓ ତାଙ୍କ ସାଥୀମାନଙ୍କୁ ନଜରବନ୍ଦୀରେ ରଖିଛି ପୋଲିସ । ଅମୃତପାଲ ସିଂ ସାହାକୋଟ ଆସିବା ପୂର୍ବରୁ ପୋଲିସକୁ ସୂଚନା ମଳିଯାଇଥିଲା । ଫଳରେ ପ୍ରଥମରୁ ମୋଗା ପୋଲିସ ତରଫରୁ ସାହାକୋଟର ସମସ୍ତ ରାସ୍ତା ବନ୍ଦ କରି ପ୍ରହରା ଦେଉଛି । ଏହି କ୍ରମରେ ପୋଲିସ ହାତରେ ଅମୃତପାଲ ସିଂର ୬ଜଣ ସାଥୀ ଧରାପଡିଛନ୍ତି । ଅମୃତପାଲ ସିଂଙ୍କ ସମର୍ଥକମାନେ ଯେଭଳି ଭାବେ ସୋସିଆଲ ମିଡିଆରେ ହିଂସା ଉଦ୍ରେକକାରୀ ପୋଷ୍ଟ କରିନପାରିବେ ଓ ଏକଜୁଟ ହୋଇ ନପାରିବେ ତାହାକୁ ନଜରରେ ରଖି ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଗତକାଲି ମଧ୍ୟରାତ୍ରରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।

‘ବାରିସ ପଞ୍ଜାବ ଦେ’ର ପ୍ରମୁଖ ଅମୃତପାଲସିଂଙ୍କ ବିରୋଧରେ ୩ଟି ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ୨ଟି ମାମଲା ଅମୃତସର ଜିଲ୍ଲାର ଅଜନାଲା ଥାନାରେ । ନିଜ ସମର୍ଥକଙ୍କ ଗିରଫକୁ ବିରୋଧ କରି ଅମୃତପାଲ ଫେବୃଆରୀ ୨୩ ତାରିଖରେ ଅଜନାଲ ଥାନା ଉପରେ ଆକ୍ରମଣ କରିବା ମୁଖ୍ୟ ମାମଲା ରହିଛି ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅମୃତପାଲ ସିଂ କହିଥିଲେ କି ପୋଲିସ ତରଫରୁ ତାଙ୍କ ସଂଗଠନର ସମର୍ଥକଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଉଛି । ଏହି କାରଣରୁ ସେ ହଜାର ହଜାର ସମର୍ଥକଙ୍କ ସହ ଅଜନାଲ ଥାନା ଘେରାଉ କରିଥିଲେ । ଏହାସହ ଗଣମାଧ୍ୟମ ଉପରେ ମଧ୍ୟ ସେ ଦୋଷ ଲଦିଛନ୍ତି । ସେ କହିଛନ୍ତି କି ଯାହା ଘଟୁଛି ଗଣମାଧ୍ୟମ ତାର ବିପରିତ ଖବର ଲୋକଙ୍କୁ ଦେଖାଉଛି ।