ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ: ଦଳକୁ ଫେରିବେ କ୍ୟାପଟେନ୍ ରୋହିତ । ବାଦ୍ ପଡିବେ କେଉଁ ଖେଳାଳି? ସୂର୍ଯ୍ୟ ଓ ଇଶାନଙ୍କୁ ନେଇ ବଢିଲା ଚର୍ଚ୍ଚା…

109

କନକ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ଭାରତ-ଅଷ୍ଟ୍ରେଲିଆ ଭିତରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ । ରବିବାର ବିଶାଖାପାଟଣାରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ, ଟିମ୍ ଇଣ୍ଡିଆର ନିୟମିତ କ୍ୟାପଟେନ୍ ରୋହିତ ଶର୍ମା ଏହି ମ୍ୟାଚରେ ଦଳକୁ ଫେରିବେ । ତେବେ ପ୍ରଥମ ଦିନିକିଆ ରୋହିତ ଶର୍ମା ଖେଳିନଥିଲେ ବି, ଦଳ ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ହେଲେ ଦ୍ୱିତୀୟ ଦିନିକିଆରେ ରୋହିତ ଦଳକୁ ଫେରିଲେ, କେଉଁ ବ୍ୟାଟ୍ସମ୍ୟାନ୍ ଦଳରୁ ବାହାରେ ବସିବେ ତାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ।

ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶ କଣ ରହିବ, ତା ଉପରେ ଏବେ ସମସ୍ତଙ୍କର ନଜର । ଭାରତୀୟ ଟିମରେ ପରିବର୍ତ୍ତନ ହେବା ଏକପ୍ରକାର ନିଶ୍ଚିତ । ରୋହିତ ଶର୍ମା ପ୍ରଥମ ଦିନିକିଆରେ ରହିନଥିଲେ, ତେଣୁ ଦ୍ୱିତୀୟ ଦିନିକିଆରେ ସେ ଦଳକୁ ଫେରିବା ନିଶ୍ଚିତ । ତେଣୁ ପ୍ରଥମ ଦିନିକିଆ ଖେଳିଥିବା କେଉଁ ଖେଳାଳିଙ୍କ ସ୍ଥାନରେ ରୋହିତ ଶର୍ମା ଦଳକୁ ଫେରିିବେ ତାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ।

ଫର୍ମକୁ ଦେଖିଲେ ଜଣାପଡୁଛି ଯେ, ରୋହିତ ଯଦି ଦ୍ୱିତୀୟ ଦିନିକିଆରେ ଦଳକୁ ଫେରନ୍ତି, ତେବେ ସୂର୍ଯ୍ୟକୁମାର ଯାଦବ ନଚେତ୍ ଇଶାନ କିଷାନ ଦଳରୁ ବାହାରେ ବସିପାରନ୍ତି । ଦିନିକିଆ ଫର୍ମାଟରେ ସୂର୍ଯ୍ୟକୁମାର ଯାଦବ ଲଗାତାର ଫେଲ୍ ହେବାରେ ଲାଗିଛନ୍ତିି । ଗତ ପ୍ରଥମ ଦିନିକିଆରେ ମଧ୍ୟ ସେ ଶୂନ୍ କରି ଆଉଟ୍ ହୋଇଥିଲେ । ଏପରି ସ୍ଥିତିରେ ସୂର୍ଯ୍ୟକୁମାରଙ୍କୁ ବସାଇ ତାଙ୍କ ସ୍ଥାନରେ ରୋହିତ ଦଳକୁ ଫେରିପାରନ୍ତି ।

ଅନ୍ୟପଟେ ଯଦି ସୂର୍ଯ୍ୟକୁମାରଙ୍କୁ ମ୍ୟାନେଜମେଣ୍ଟ ଆଉ ଏକ ସୁଯୋଗ ଦିଏ, ତେବେ ଇଶାନ କିଷାନ ଦଳଠୁ ଦୂରେଇ ପାରନ୍ତି । ଶୁଭମନ୍ ଗିଲଙ୍କ ସହ ରୋହିତ ଓପନିଂ କରୁଥିବାରୁ, ସମ୍ଭବତଃ ଇଶାନ ହିଁ ଚୂଡାନ୍ତ ଏକାଦଶରୁ ବାଦ୍ ପଡିପାରନ୍ତି ବୋଲି କ୍ରିକେଟ୍ ପଣ୍ଡିତମାନେ ଭବିଷ୍ୟବାଣୀ କରୁଛନ୍ତି । ତେଣୁ ସୂର୍ଯ୍ୟକୁମାର ନା ଇଶାନ କିଏ ଦ୍ୱିତୀୟ ଦିନିକିଆ ଖେଳିବ ଏବେ ତାହା ଦେଖିବାକୁ ବାକି ରହିଲା ।

ଦେଖିବାକୁ ଗଲେ, ସୂର୍ଯ୍ୟକୁମାରଙ୍କ ଟି-୨୦ କ୍ୟାରିୟର ଜବରଦସ୍ତ ରହିଛି । ହେଲେ ଦିନିକିଆ ଫର୍ମାଟରେ ତାଙ୍କ ପ୍ରଦର୍ଶନ ନିରାଶାଜନକ ରହିଛି । ବର୍ତ୍ତମାନ ସୁଦ୍ଧା ସୂର୍ଯ୍ୟକୁମାର ୨୧ଟି ଦିନିକିଆ ଖେଳିଥିବାବେଳେ, ୧୯ଟି ଇଂନିସରୁ ମାତ୍ର ୪୩୩ ରନ୍ କରିପାରିଛନ୍ତି । ଏପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ତାଙ୍କ ବ୍ୟାଟରୁ କେବଳ ୨ଟି ଅର୍ଦ୍ଧଶତକ ହିଁ ଦେଖିବାକୁ ମିଳିଛି । ତେଣୁ ସୂର୍ଯ୍ୟଙ୍କୁ ନେଇ ଟିମ୍ ମ୍ୟାନେଜମେଣ୍ଟ ଚିନ୍ତାରେ ଅଛି ।