ଛାତି ଥରାଇଦେଲା ସୁରତର ବର୍ବରକାଣ୍ଡ । ୭ ବର୍ଷର କୁନିଝିଅକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ 

254

କନକ ବ୍ୟୁରୋ: ସୁରତରେ ଓଡିଆ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଘଟଣାରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ସୁରତ ପୋଲିସ । ସେପଟେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ପରେ ସେଠାରେ ରହୁଥିବା ପ୍ରବାସୀ ଓଡିଆ ଏକାଠି ହୋଇ କରିଛନ୍ତି ବିକ୍ଷୋଭ । ନ୍ୟାୟ ଦାବି ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି ପ୍ରବାସୀ ଓଡିଆ ।

  • ସୁରତରେ ଓଡିଆ ଝିଅକୁ ଦୁଷ୍କର୍ମ 
  • ପ୍ରମାଣ ନଷ୍ଟ ପାଇଁ ହତ୍ୟା

ଏମିତି ଏକ ଛାତି ଥରାଇ ଦେବା ଭଳି ଦୁଃଖଦ ଘଟିଛି ସୁଦୂର ସୁରତରେ । ଯେଉଁଠି ହଜାର ହଜାର ଓଡିଆ ପରିବାର ପେଟ ପାଟଣା ପାଇଁ ଯାଇ ପରିବାର ସହ ରହୁଛନ୍ତି । ହେଲେ, ସଇତାନର ନଜର କେତେବେଳେ କାହା ଉପରେ ପଡିବ କେହି ଜାଣି ନଥାନ୍ତି । ଠିକ୍ ସେହି ଭଳି ଜଣେ ସଇତାନର ନଜର ପଡିଥିଲା ଗୋଟିଏ କୁନି ଝିଅଟି ଉପରେ । ଆଉ ପାଲଟି ଯାଇଥିଲା ନରରାକ୍ଷାସ । ସୁଯୋଗ ଦେଖି କୁନି ଝିଅଟିକୁ ଦୁଷ୍କର୍ମ କରିବା ପରେ ମାରି ଦେଇଥିବା ଅଭିଯୋଗ ହୋଇଛି । ଏପରିକି ପ୍ରମାଣ ନଷ୍ଟ କରିବା ପାଇଁ ହତ୍ୟା କରିବା ପରେ ଅଖାରେ ବାନ୍ଧି ଲୁଚାଇ ଦେଇଥିଲା ପିଶାଚ । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଏକାଠି ହୋଇଥିଲେ ଶତାଧିକ ପ୍ରବାସୀ ଓଡିଆ । ନ୍ୟାୟ ଦାବି କରି ରାସ୍ତା ରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସୂଚନା ଅନୁସାରେ,ଗଞ୍ଜାମ ଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳରେ ଏକ ଓଡ଼ିଆ ପରିବାର ସୁରତର ତିରୁପତି ସୋସାଇଟିରେ ରହୁଥିଲେ । ବାପା, ମାଆ ୪ ଝିଅଙ୍କୁ ନେଇ ଖୁସିରେ ଚଳୁ୍ଥିଲା ତାଙ୍କ ପରିବାର । ବାପା ଏକ କାରଖାନାରେ କାମ କରନ୍ତି । ପ୍ରତିଦିନ ଭଳି ସେଦିନ ବି ଖେଳିବାକୁ ଯାଇଥିଲା କୁନି ଝିଅ । ହେଲେ, ସେଦିନ ଆଉ ଘରକୁ ଫେରି ନଥିଲା । ଝିଅକୁ ନପାଇ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ବହୁ ଖୋଜାଖୋଜି ପରେ ଶେଷରେ ଏକ ବନ୍ଦ ଘରୁ, ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ନାବାଳିକାର ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ସୁରତରେ ଘଟିଥିବା ଏହି ଘଟଣାକୁ ନେଇ ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଶିଶୁ ସୁରକ୍ଷା ଅଧିକାର କର୍ମୀ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଭିଯୁକ୍ତ ଜଣକ ଘର ମାଲିକ ମୁକେଶ ପ୍ରଜାପତି । ୧୧ ବର୍ଷ ଜେଲ ସଜା କାଟିଥିବା ବେଳେ ଜଣେ ପେସାଦାର ଅପରାଧୀ । ତେବେ ଚାପ ପଡିବା ପରେ ଅଭିଯୁକ୍ତ ମୁକେଶକୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି । କିନ୍ତୁ ସେ ଗୁଜରାଟର ଲୋକ ହୋଇଥିବାରୁ ତା ବିରୋଧରେ ସେଠାକାର ପୋଲିସ କେମିତି କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।