ୟୁ-ଟର୍ଣ୍ଣ ମାରିଲା ଘରୋଇ ବସ ମାଲିକ ସଂଘ: ୨୦ ତାରିଖରୁ ପୁଣି ବସ୍ ଧର୍ମଘଟ

568

କନକ ବ୍ୟୁରୋ: ପୂଜାରେ ଗଡିବନି ଘରୋଇ ବସ୍ । ୨୦ ତାରିଖରୁ ରାଜ୍ୟବ୍ୟାପି ବସ୍ ଧର୍ମଘଟ କରିବାକୁ ଘୋଷଣା କରିଛି ଘରୋଇ ବସ୍ ମାଲିକ ସଂଘ । ସରକାରଙ୍କ ସହ ଆଲୋଚନା ପରେ ଗତ ୯ତାରିଖରେ ଧର୍ମଘଟକୁ ସ୍ଥଗିତ ରଖିଥିଲା ସଂଘ । ଆଉ ୩୧ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଲା ବୋଲି କହିଥିଲେ ସଂଘର କର୍ମକର୍ତା । କିନ୍ତୁ ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ ଆଣି ଏବେ ପୁଣି ଥରେ ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ ।

ବଦଳିଗଲା ଘରୋଇ ବସ୍ ମାଲିକ ସଂଘର ନିଷ୍ପତି । ଚଳିତ ମାସ ୩୧ ତାରିଖ ଯାଏଁ ଆନ୍ଦୋଳନକୁ ଟାଳି ଦେଇଥିବା ଘରୋଇ ବସ ମାଲିକ ସଂଘ ପୁଣି ଅଚାନକ ଦଶହରା ସମୟରେ ଧର୍ମଘଟ ଡକରା ଦେଇଛି ।

୨୦ ତାରିଖରୁ ଏହି ବସ ଧର୍ମଘଟ ହେବ ବୋଲି ଘୋଷଣା କରିଛି ବସ ମାଲିକ ସଂଘ । ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି । ସଂଘ ସଫେଇ ଦେଇଛି, ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୃତି ଦେଇଥିଲେ ତାକୁ ପାଳନ କରିନାହାନ୍ତି । ତେଣୁ ୨୦ ତାରିଖ ସକାଳୁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ।

ସଂଘ କହିଛି,
– ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି
– ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି
– ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି
– ଏହା ସରକାରଙ୍କ ପ୍ରତିଶ୍ରୃତିର ବିରୁଦ୍ଧାଚରଣ କରୁଛି

୨୦ ତାରିଖରୁ ହିଁ ଦଶହରାର ଗହଳି ଆରମ୍ଭ ହେବ । ଆଉ ଏହି ସମୟରେ ଘରୋଇ ବସ ମାଲିକ ସଂଘର ଅଚାନକ ବସ ଧର୍ମଘଟ ଡାକରା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଲୋକେ ହଇରାଣ ହେବା ଏକପ୍ରକାର ନିଶ୍ଚିତ ହୋଇଛି ।

ଘରୋଇ ବସ ମାଲିକ ସଂଘ ଲକ୍ଷ୍ମୀ ଯୋଜନାରେ ଘରୋଇ ବସ ଚଳାଇବାକୁ ଦୀର୍ଘଦିନ ହେଲା ଦାବି କରିଆସୁଛି । ଏଥିପାଇଁ ୧୦ ତାରିଖରୁ ଧର୍ମଘଟ ଡାକରା ବି ଦେଇଥିଲା ସଂଘ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଧର୍ମଘଟକୁ ଟାଳିଦିଆଯାଇଥିଲା । ତେବେ ପୂଜା ଥିବାରୁ ଅଚାନକ ଏହି ନିଷ୍ପତି ରାଜ୍ୟରେ ବଡ ଧରଣର ପ୍ରଭାବ ପକାଇବା ସମ୍ଭାବନା ରହିଛି । ଘରୋଇ ପରିବହନ ବ୍ୟବସ୍ଥା ଠପ ହୋଇପାରେ ବୋଲି ଆଶଙ୍କ ପ୍ରକାଶ ପାଇଛି ।