କିଏ କରିଛି ହସ୍ପିଟାଲ ଉପରେ ଆକ୍ରମଣ? ପରସ୍ପର ଉପରେ ଦୋଷ ଲଦାଲଦି

480

କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ ଯୁଦ୍ଧରୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଦୃଶ୍ୟ । ଆକ୍ରମଣକାରୀ ସେନା ଭୁଲି ଯାଇଛନ୍ତି ଯୁଦ୍ଧର ସବୁ ନିୟମ । ଜନବସତି ଓ ଶିକ୍ଷାନୁଷ୍ଠାନ ପରେ ଏବେ ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି । ମିଜାଇଲ ମାଡରେ ହସ୍ପିଟାଲରେ ଥିବା ମହିଳା, ଶିଶୁଙ୍କ ସମେତ ପ୍ରାୟ ୫ଶହ ଲୋକଙ୍କର ଜୀବନ ଯାଇଥିବା କୁହାଯାଉଛି । ତେବେ ଏହି ଆକ୍ରମଣ ପାଇଁ ଇସ୍ରାଏଲ ଓ ହମାସ ପରସ୍ପରକୁ ଦାୟୀ କରୁଛନ୍ତି । ଯାହାକୁ ବିଶ୍ୱବ୍ୟାପି ନିନ୍ଦା କରାଯାଉଛି । ଯୁଦ୍ଧ ଭିତରେ ଇସ୍ରାଏଲ ଗସ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଅନ୍ୟପଟେ ସାଉଦି ଆରବରେ ଏକାଠି ହୋଇଛନ୍ତି ଡର୍ଜନେରୁ ଅଧିକ ମୁସଲିମ ରାଷ୍ଟ୍ରର ପ୍ରତିନିଧି ।

ଇସ୍ରାଏଲ ଓ ହମାସ୍ ମଧ୍ୟରେ ୧୧ ଦିନ ହେଲା ଚାଲିଥିବା ଯୁଦ୍ଧ ଆହୁରି ଭୟଙ୍କର ହୋଇଛି । ଗାଜାର ଏକ ଡାକ୍ତରଖାନା ଉପରେ ରକେଟ୍ ମାଡ ହୋଇଛି । ଏଥିରେ ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦାବି କରିିଛି । ଗାଜା ପଟ୍ଟିରେ ଥିବା ଅଲ-ଅହଲି ହସ୍ପିଟାଲରେ ବହୁ ସଂଖ୍ୟାରେ ରୋଗୀ ଓ ସାଧାରଣ ନାଗରିକ ଆଶ୍ରୟ ନେଇଥିବା ବେଳେ ରକେଟ୍ ମାଡ ହୋଇଛି । ଯୁଦ୍ଧ ଚାଲିଥିବାରୁ ଲୋକେ ଜୀବନ ବଂଚାଇବାକୁ ହସ୍ପିଟାଲରେ ଅଶ୍ରୟ ନେଇଥିବା ବେଳେ ଏୟାର ଷ୍ଟ୍ରାଇକ୍ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକ ସଂଖ୍ୟକ ମହିଳା ଓ ଶିଶୁ ଥିବା ସୂଚନା ମିଳିଛି । ହସ୍ପିଟାଲ ଉପରେ ରକେଟ ମାଡ କରି ଇସ୍ରାଏଲ ସେନା ନୀରିହ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛି ହମାସ । ଏହା ଇସ୍ରାଏଲର ଯୁଦ୍ଧ ଅପରାଧ ବୋଲି ହମାସ ଦାବି କରିଛି । ସେପଟେ ଅଭିଯୋଗକୁ ଇସ୍ରାଏଲ ଅସ୍ୱୀକାର କରିଛି ।

ଗାଜାର ଅଲ-ଅହଲି ହସ୍ପିଟାଲରେ ଏୟାର ଷ୍ଟ୍ରାଇକରେ ଇସ୍ରାଏଲର କୌଣସି ହାତ ନଥିବା କହିଛି ଆଇଡିଏଫ । ନୀରିହ ଲୋକଙ୍କ ଜୀବନ ନେବା ପଛରେ ଆତଙ୍କବାଦୀ ସଂଗଠନ ଇସ୍ଲାମିକ ଜିହାଦ୍କୁ ଦାୟୀ କରିଛି ଇସ୍ରାଏଲ । ଗଣମାଧ୍ୟମକୁ ସମ୍ବୋଧନ କରି ଆଇଡିଏଫର ଜଣେ ମୁଖପାତ୍ର କହିଛନ୍ତି-

ହସ୍ପିଟାଲରେ ଆକ୍ରମଣ: ଆଇଡିଏଫର ସଫେଇ
– ଅଲ ଅହଲି ବାପିଷ୍ଟ ହସ୍ପିଟାଲ ଉପରେ ରକେଟ୍ ମାଡରେ ଆଦୌ ଇସ୍ରାଏଲ ସଂପୃକ୍ତ ନୁହେଁ
– ହମାସ୍ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ଇସ୍ଲାମିକ୍ ଜିହାଦ୍ ଏହି ବୋମା ବିସ୍ଫୋରଣ କରିଛି
– ଆତଙ୍କୀ ସଂଗଠନର ରକେଟ୍ ମିସଫାୟାର ବା ଲକ୍ଷ୍ୟଚ୍ୟୁତ ହୋଇ ହସ୍ପିଟାଲରେ ମାଡ଼ ହୋଇଛି
– ଏହା ଏକ ପାଲେଷ୍ଟିନିୟ ଇସ୍ଲାମିକ ସଂଗଠନ, ଯାହା ଗାଜା ଏବଂ ୱେଷ୍ଟବ୍ୟାଙ୍କରେ ସକ୍ରିୟ ରହିଛି

କ’ଣ ଏହି ଇସ୍ଲାମିକ ଜିହାଦ୍?
– ୧୯୭୦ ଦଶକରେ ତିଆରି ହୋଇଥିଲା ଇସ୍ଲାମିକ ଜିହାଦ୍
– ପାଲେଷ୍ଟାଇନର ସବୁଠାରୁ ଅଧିକ କଠୋରପନ୍ଥୀ ସଂଗଠନ
– ଇସ୍ରାଏଲ ସହ ଲଢିବାକୁ ପ୍ରସ୍ତୁତ ହୋଇଥିଲା ଏହି ଆତଙ୍କୀ ସଂଗଠନ
– ହମାସ ପରେ ପାଲେଷ୍ଟାଇନରେ ଦ୍ୱିତୀୟ ବୃହତ୍ ସଂଗଠନ

ଯୁଦ୍ଧର ଘନଘଟା ଭିତରେ ଇସ୍ରାଏଲରେ ପହଂଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ତେଲ ଅବିବ୍ରେ ପହଂଚିବା ପରେ ତାଙ୍କୁ ତାଙ୍କୁ ସ୍ୱାଗତ କରିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଗାଜା ହସ୍ପିଟାଲରେ ଆକ୍ରମଣ ପାଇଁ ଜୋର୍ଡାନ୍ ଗସ୍ତ ବାତିଲ କରିଛନ୍ତି ଆମେରିକା ରାଷ୍ଟ୍ରପତି । ହସ୍ପିଟାଲ ଉପରେ ଆକ୍ରମଣକୁ ବାଇଡେନ୍ ନିନ୍ଦା କରିବା ସହ ଏହି ଘଟଣାରେ ଇସ୍ରାଏଲର ହାତ ନଥିବା କହିଛନ୍ତି । ସେପଟେ ଇସ୍ରାଏଲ ଓ ଆମେରିକା ବିରୋଧରେ ଏକାଠି ହେଉଛନ୍ତି ଅର୍ଗାନାଇଜେସନ ଅଫ ଇସ୍ଲାମିକ କଂଟ୍ରିଜ୍ । ଆଇଓସିର ଜରୁରୀ ବୈଠକରେ ଇସ୍ରାଏଲ ଉପରେ ପ୍ରବଳ ବର୍ଷିଛି ଇରାନ୍ ।