ବାରଣ୍ଡାରେ ଭବିଷ୍ୟତ ନିର୍ମାଣ : ଶ୍ରେଣୀଗୃହ ନାହିଁ, ୬ ବର୍ଷ ହେଲା ବାରଣ୍ଡାରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

173

କନକ ବ୍ୟୁରୋ : ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । କିନ୍ତୁ ବଦଳିପାରୁନାହିଁ ଶିକ୍ଷାର ଭିତ୍ତିଭୂମି । କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଅନୁଗୁଳ ସହରର ଅବସ୍ଥା ଦେଖିଲେ ଦୁସ୍ଥ ଶିକ୍ଷା ବ୍ୟବସ୍ଥାର ଚିତ୍ର ଜଳଜଳ ଦେଖାଯାଉଛି । ଶ୍ରେଣୀ ଗୃହ ଅଭାବରୁ ସହରର କଲେଜପଡ଼ା ପ୍ରାଥମିକ ବିଦ୍ୟାଳୟର ବାରଣ୍ଡା ଓ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ଚାଲିଛି ଶିକ୍ଷାଦାନ ।

ବାରଣ୍ଡାରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା । ୮ଟି ଶ୍ରେଣୀରେ ୨୨୩ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଆବଶ୍ୟକ ଶ୍ରେଣୀଗୃହ ନାହିଁ । ୮ଟି ଶ୍ରେଣୀ ପାଇଁ ଅଛି ୬ ଟି କୋଠରୀ । ପ୍ରଥମ ଶ୍ରେଣୀ ପିଲାମାନେ ବାରଣ୍ଡାରେ ବସି ପାଠ ପଢ଼ୁଥିବା ବେଳେ ଅଷ୍ଟମ ଶ୍ରେଣୀ ପିଲାମାନେ କାର୍ଯ୍ୟାଳୟରେ ବସି ପାଠ ପଢ଼ିବା ପାଇଁ ବାଧ୍ୟ ହେଉଛନ୍ତି । ଏପରିକି ବର୍ଷା ହେଲେ ସମସ୍ତ  ଛାତ୍ରଛାତ୍ରୀଙ୍କୁ ଗୋଟିଏ କକ୍ଷରେ ବସାଇ ପାଠ ପଢ଼ାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶିକ୍ଷୟତ୍ରୀ ।

ଏନେଇ ସ୍କୁଲ ପରିଚାଳନା କମିଟି ଓ ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ଜିଲ୍ଲାପାଳ ଓ ବିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ହେଲେ ଏଯାଏଁ କୌଣସି ସୁଫଳ ମିଳିପାରି ନାହିଁ । ବର୍ଷା ଦିନ ଆସିଲେ ଗୋଟିଏ ଶ୍ରେଣୀରେ ଉଭୟ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲା ଜାକିଜୁକି ହୋଇ ପାଠ ପଢ଼ୁଛନ୍ତି । ସମସ୍ୟାର ତୁରନ୍ତ ସମାଧାନ ନେହେଲେ ପିଲାଙ୍କୁ ପାଠ ପଢ଼ାଇବୁ ନାହିଁ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି ।