ପାକିସ୍ତାନ ସେନାକୁ ଭାରତୀୟ ସେନାର ସନ୍ଦେଶ : ଧଳା ପତାକା ଧରିକି ଆସ, ମୃତଦେହ ପଡିଛି ଉଠାଇ ନିଅ ।

464

ଜମ୍ମୁ-କାଶ୍ମୀରର କେରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ପାକିସ୍ତାନ ବର୍ଡର ଆକ୍ସନ ଟିମକୁ ବଡ ଝଟକା ଲାଗିଛି । ଏହି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ତେବେ ଗୁଳି ବିନିମୟ ସମୟରେ ଭାରତୀୟ ସେନାର ଗୁଳିରେ ୫ରୁ ୭ ଜଣ ବ୍ୟାଟ୍ କମାଣ୍ଡୋ ପ୍ରାଣ ହରାଇଛନ୍ତି । ଏହି ଅନୁପ୍ରବେଶକାରୀଙ୍କ ମୃତଦେହ ପଡି ରହିଥିଲେ ମଧ୍ୟ ଏହାକୁ ପାକିସ୍ତାନ ଏଯାଏଁ ନେଇନାହିଁ ।

ଆଉ ଏଭଳି ସ୍ଥିତିରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ ସେନା ଶାନ୍ତିର ପ୍ରତୀକ ଧଳା ପତାକା ଧରି ଆସନ୍ତୁ ଓ ଏହି ମୃତଦେହକୁ ନେଇ ଯାଆନ୍ତୁ । କିନ୍ତୁ ପାକିସ୍ତାନ ପକ୍ଷରୁ ଏନେଇ କୌଣସି ଉତ୍ତର ମଧ୍ୟ ମିଳିନାହିଁ । ମିଳିଥିବା ସୂଚନା ମୁତାବକ, ପାକିସ୍ତାନ ସେନା ସହାୟତାରେ ଆତଙ୍କବାଦୀ ମାନେ ଭାରତରେ ଅନୁପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ପୂର୍ବରୁ ସୂଚନା ପାଇବା ସହ ଏହି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା ଭାରତୀୟ ସେନା ।

ଗତ ୩୬ ଘଣ୍ଟା ମଧ୍ୟରେ କାଶ୍ମୀର ଘାଟିରେ ଜୈସର ୪ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଏହି ଆତଙ୍କବାଦୀଙ୍କ ପାଖରୁ ସ୍ନାଇପର ରାଇଫଲ, ଆଇଡି, ପାକିସ୍ତାନରେ ନିର୍ମିତ ବାରୁଦ ସୁରଙ୍ଗ ଜବତ କରିଥିଲା ସେନା । ଯାହା ସ୍ପଷ୍ଟ ଦର୍ଶାଉଛି ଯେ, ପାକିସ୍ତାନ ସେନା ନା କେବଳ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାରେ ସହାୟତା କରୁଛନ୍ତି ବରଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଇ ଦେଉଛନ୍ତି । କାଶ୍ମୀର ଘାଟିରେ ବଡ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀ ମାନେ ଯୋଜନା କରୁଥିବା ସ୍ପଷ୍ଟ ହୋଇଛି ।

ଏଭଳି ସ୍ଥିତିରେ ପୂରା ଦେଶର ନଜର ଏବେ ଜମ୍ମୁ-କାଶ୍ମୀର ଉପରେ । କାଶ୍ମୀର ଘାଟିରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ଠୁଳ ହେବା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । କାଶ୍ମୀରରେ ସେନାର ବ୍ୟାପକ ପ୍ରସ୍ତୁତି ଦେଖି ଧାରା ୩୫-ଏ କିମ୍ବା ଧାରା ୩୭୦ରେ କୌଣସି ପରିବର୍ତ୍ତନ ଆଶଙ୍କା କରାଯାଉଛି । ଯେଉଁଥିପାଇଁ କାଶ୍ମୀରର ଅଧିକାଂଶ ନେତାଙ୍କ ନିଦ ହଜିଯାଇଛି । ସେନାର ଏହି ପ୍ରସ୍ତୁତି ପଛର କାରଣ ବାରମ୍ବାର ଜାଣିବାକୁ ଚାହୁଁଛନ୍ତି ଜମ୍ମୁ-କାଶ୍ମୀରର କିଛି ନେତା । ତେବେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି, ସୁରକ୍ଷା କାରଣରୁ ଜମ୍ମୁ-କାଶ୍ମୀରରେ ଯବାନଙ୍କୁ ମୁତୟନ କରାଯାଇଛି, କୌଣସି ସାମ୍ବିଧାନିକ ପରିବର୍ତ୍ତନ ପାଇଁ ନୁହେଁ ।