ଭାରତୀୟ ଯବାନଙ୍କ ଭାଇରାଲ ଫଟୋ ପଛର ସତ । ଫଟୋଗ୍ରାଫର କହିଲେ, ପୂରା କାହାଣୀ

674

ଗତ ୨ ଦିନ ହେବ ସୋସିଆଲ ମିଡିଆରେ ଭାରତୀୟ ସେନାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ହ୍ୱାଟସଆପ ଠାରୁ ଆରମ୍ଭ କରି ଫେସବୁକ୍, ଟ୍ୱିଟରରୁ ଇନଷ୍ଟାଗ୍ରାମକୁ ଘୂରି ବୁଲୁଛି ଏହି ଫଟୋ । ଯେଉଁ ଫଟୋରେ ଜଣେ ଭାରତୀୟ ଯବାନଙ୍କୁ ମଝି ରାସ୍ତାରେ ଚେୟାର ପକାଇ ବସିଥିବାର ଦେଖିବାକୁ ମିଳିଛି । ଶୂନଶାନ ରାସ୍ତାର ଗୋଟିଏ ପାଶ୍ୱର୍ରେ ହାତରେ ବନ୍ଧୁକ ଧରି ଯବାନ ବସିଥିବା ବେଳେ ରାସ୍ତାର ଅନ୍ୟ ପାଶ୍ୱର୍ରେ ଶହ ଶହ ଲୋକ ଛିଡା ହୋଇଥିବାର ଦେଖିବାକୁ ମିଳିଛି । ତେବେ ସୋସିଆଲ ମିଡିଆରେ ଏହି ଫଟୋକୁ ନେଇ ଅନେକ କାହାଣୀ ସାମ୍ନାକୁ ଆସୁଛି । କିଛି ଲୋକ ଏହି ଫଟୋ ସେୟାର କରିବା ସହ କହିଛନ୍ତି, ଚାରିଆଡୁ ପଥରଫିଙ୍ଗାଳି ଘେରି ରହିଥିବା ଏହି ଯବାନଙ୍କ ଠାରୁ ସମସ୍ତେ କିଛି ଶିଖିବା ଆବଶ୍ୟକ । ପ୍ରତିକୂଳ ପରିସ୍ଥିତିରେ କିଭଳି ଆମକୁ ଶତ୍ରୁଙ୍କ ମୁକାବିଲା କରିବାକୁ ହେବ ତାହା ଏହି ଯବାନଙ୍କ ଠାରୁ ଶିଖନ୍ତୁ ।

ତେବେ ଏହି ଫଟୋ ପଛର ଅସଲ କାହାଣୀ କିନ୍ତୁ ପୂରା ଭିନ୍ନ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫଟୋକୁ କାଶ୍ମୀର ବଡଗାମ ଜିଲ୍ଲାର ବାସିନ୍ଦା ଫୈସଲ ବଶୀର ଉଠାଇଛନ୍ତି । ଏହି ଫଟୋକୁ ସେ ଅଗଷ୍ଟ ୨ରେ ଉଠାଇଥିବା ବେଳେ ଗତ ୨ ଦିନ ହେବ ଜୋରଦାର ଭାଇରାଲ ହୋଇଥିଲା । ଏହି ଫଟୋଟି ସେତେବେଳେ ଉଠାଯାଇଥିଲା ଯେତେବେଳେ ସୋପିଆନରେ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା ।

ଦୀର୍ଘ ସମୟ ଧରି ଲାଗି ରହିଥିବା ଏହି ଏନକାଉଣ୍ଟରର ଫଟୋ ନେବାକୁ ଫୈସଲ ଅନନ୍ତନାଗରୁ ସୋପିଆନ ଆସିଥିଲେ । ଫୈସଲଙ୍କ କହିବା ଅନୁଯାୟୀ, ପାଖାପାଖି ୧.୩୦ଟା ସମୟ । ସୋପିଆନ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଥିଲା । ତେବେ ଏନକାଉଣ୍ଟର ସ୍ଥଳକୁ ସମସ୍ତ ରାସ୍ତା ବନ୍ଦ କରି ଦିଆଯାଈଥିଲା ।

ଯେଉଁ ଭାରତୀୟ ଯବାନଙ୍କ ଭିଡ଼ିଓ ଭାଇରାଲ ହେଉଛି ସେ ସେହି ସମୟରେ ଏନକାଉଣ୍ଟର ସ୍ଥଳ ଠାରୁ କିଛି ଦୂରରେ ରହିଥିଲେ । ତାଙ୍କ କାମ ଥିଲା ରାସ୍ତା ବ୍ଲକିଂ କରିବା । ଅଥାର୍ତ ଯେଉଁ ସ୍ଥାନୀୟ ଲୋକ ଭାରତ ସରକାରଙ୍କ ନିଷ୍ପତିକୁ ବିରୋଧ କରୁଛନ୍ତି ସେମାନଙ୍କୁ ଏନକାଉଣ୍ଟର ସ୍ଥଳକୁ ନ ଛାଡିବା ଦାୟିତ୍ୱ ଏହି ଯବାନଙ୍କ ଉପରେ ରହିଥିଲା । ଅତ୍ୟାଧୁନିକ ଅଟୋମେଟିକ ବନ୍ଧୁକ ସହ ଏକାକୀ ଏହି ଦାୟିତ୍ୱରେ ରହିଥିଲେ ଯବାନ ଜଣକ । ଶହ ଶହ ସ୍ଥାନୀୟ ବିକ୍ଷୋଭକାରୀଙ୍କୁ ଏକାକୀ ଅଟକାଉଥିବା ବେଳେ ଏହି ଫଟୋ ଉଠାଇଥିଲେ ଫୈସଲ ।