ସ୍ୱାମୀ ପକ୍ଷାଘାତରେ ଶଯ୍ୟାଶାୟୀ । ପରିବାର ପାଇଁ ମୋଟର ମେକାନିକ୍ ସାଜିଲେ ପୁନମ୍ । ନାରୀ ଜାତିକୁ ଦେଉଛନ୍ତି ବଞ୍ଚିବାର ରାହା ।

157

କନକ ବ୍ୟୁରୋ: ବେଳେ ବେଳେ ପରିସ୍ଥିତି ଏଭଳି ଭୟଙ୍କର ହୋଇ ସାମ୍ନାରେ ଛିଡା ହୁଏ ତାକୁ ଦେଖି ପ୍ରଥମେ ଭାରି ଡର ଲାଗିଲେ ବି ପର ସମୟରେ ସେଥିରୁ ବଞ୍ଚିବାର ସାହାସ ଯୋଗାଡ କରିହୁଏ । ସେ ପରିସ୍ଥିତିରେ ଦଳିମନ୍ଥି ହୋଇଗଲା ପରେ ଜୀବନ ଜିଇଁବାକୁ ଧୈର୍ଯ୍ୟ ଆଉ ସାହାସ ମିଳେ । ଏହାର ଉଦାହରଣ ହେଉଛନ୍ତି ଗାଜିଆବାଦର ପୁନମ୍ ।

ପୁନମଙ୍କ ସ୍ୱାମୀ ପେସାରେ ଜଣେ ମେକାନିକ ଥିଲେ। କିନ୍ତୁ ଏକ ଦୁର୍ଘଟଣାର ଶିକାର ହେବାପରେ ପୁନମଙ୍କ ସ୍ୱାମୀ ପକ୍ଷଘାତରେ ପୀଡ଼ିତ ହୋଇ ବିଛଣାରେ ପଡ଼ିଯାଇଛନ୍ତି। ସ୍ୱାମୀ ଏକମାତ୍ର ରୋଜଗାରିଆ ଥିବାରୁ ପୁନମଙ୍କୁ ଧୀରେଧୀରେ ପରିବାର ଚଳାଇବାକୁ କଷ୍ଟ ହୋଇଥିଲା। କାରଣ ଟଙ୍କା ବାଧକ ସାଜିଥିଲା। ତେଣୁ ସ୍ୱାମୀଙ୍କ ଚିକତ୍ସା ସହିତ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୁନମ ଘରୁ ପାଦ କାଢ଼ିଥିଲେ। ଚାକିରି ପାଇଁ ଅନେକ ଚେଷ୍ଟା ବି କରିଥିଲେ କିନ୍ତୁ ଅସଫଳ ରହିବା ପରେ ସେ ସ୍ବାମୀଙ୍କ ଠାରୁ ଗାଡ଼ି ସଜଡ଼ା କାମ ଶିଖିଥିଲେ। ଧୀରେଧୀରେ ସେ ଜଣେ ପ୍ରଶିକ୍ଷକ ପ୍ରାପ୍ତ ମେକାନିକ ଭଳି କାମ ଶିଖିଗଲେ। ଏହାପରେ ଏକ ଗ୍ୟାରେଜ ଖୋଲି ଗାଡ଼ି ସଜାଡ଼ିବା କାମ ଆରମ୍ଭ କଲେ। ଏଥିରୁ ତାଙ୍କର ଭଲ ରୋଜଗାର ବି ହେଲା। ଉକ୍ତ ଟଙ୍କାରେ ସେ ହସଖୁସିରେ ତାଙ୍କ ପରିବାର ବି ଚଳାଇ ନେଉଛନ୍ତି।

ତେବେ ଏସବୁ ପୁନମଙ୍କ ପାଇଁ ଏତେ ସହଜ ନଥିଲା। ଏଥିପାଇଁ ଲୋକେ ତାଙ୍କୁ ଅନେକ ଥର ପରିହାସ କରିଛନ୍ତି। ଥଟ୍ଟା କରି ଅନେକ କଥା ବି କହିଛନ୍ତି। ପୁନମ କିନ୍ତୁ ସ୍ୱାମୀ ଓ ପିଲାଙ୍କ ଭବିଷ୍ୟକକୁ ଦୃଷ୍ଟିରେ ରଖି ଆଗେଇ ଚାଲିଥିଲେ ଲୋକଙ୍କ କଥା ତାଙ୍କୁ କିଛି ପ୍ରଭାବ ପକାଇ ନଥିଲା। ଯେଉଁଥିପାଇଁ ଆଜି ପୁନମ ତାଙ୍କ ପରିବାର ସହିତ ଖୁସିରେ ଅଛନ୍ତି।