ମହାରାଷ୍ଟ୍ର, ବିହାର ପରେ ଝାଡଖଣ୍ଡରେ ରାଜନୈତିକ ହଲଚଲ: ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିଥିବା ବୈଠକକୁ ଆସିଲେନି କଂଗ୍ରେସର ୬ ବିଧାୟକ

352

କନକ ବ୍ୟୁରୋ: ମହାରାଷ୍ଟ୍ର ଓ ବିହାର ପରେ ଝାରଖଣ୍ଡରେ ରାଜନୀତିରେ ଆସିପାରେ ଝଡ଼ । ଖଣି ଲିଜ୍ ଆବଟଂନ ମାମଲାକୁ ନେଇ ପୂର୍ବରୁ ଅଡୁଆରେ ରହିଛନ୍ତି ସୋରେନ ସରକାର । କାରଣ ମୁଖ୍ୟମନ୍ତ୍ରୀ ପଦରେ ଥାଇ ଆବଂଟନ କରିବା ନୀତି ବିରୋଧୀ କାମ । ଏହି ଘଟଣାକୁ ନେଇ ମୁଖ୍ୟ ନିର୍ବାଚନ କମିଶନ ନିଜର ଫଇସଲା ଶୁଣାଇସାରିଛନ୍ତି । ଏବେ ଅପେକ୍ଷା ସୁପ୍ରିମକୋର୍ଟଙ୍କ ଫଇସଲା ଉପରେ । ପିଆଇଏଲ ଉପରେ ଶୁଣାଣୀ କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । କୌଣସି ସମୟରେ ଆସିପାରେ ବଡ ଫଇସଲା ।

ଯଦି ଏହା ସୋରେନଙ୍କ ବିପକ୍ଷରେ ଆସେ ତେବେ ବର୍ତମାନର ମେଂଟ ସରକାର ଉପରେ ଚଡକ ପଡିପାରେ । ହେମନ୍ତ ସୋରେନଙ୍କୁ ତାଙ୍କ ମୁଖ୍ୟମନ୍ତ୍ରୀ ଗାଦି ଛାଡିବାକୁ ପଡିବ । ଯାହାପରେ ପାର୍ଟିରୁ ପରବର୍ତୀ ମୁଖ୍ୟମନ୍ତ୍ରୀ ଚେହେରା ବାଛିବାକୁ ପଡିବ । ତେଣୁ ଆଗାମୀ ଦିନର ରଣନୀତି କଣ ହେବ ଏନେଇ ମେଂଟ ବୈଠକ ବସିଥିଲା । ଅନ୍ୟପଟେ ଝାରଖଣ୍ଡର କ୍ଷମତାସୀନ ଦଳ ଜେଏମଏମ ନିଜର ବିଧାୟକମାନଙ୍କୁ ଆଲର୍ଟରେ ରହିବା ପାଇଁ କହିଛି । ସେହିପରି କଂଗ୍ରେସ ଅଗଷ୍ଟ ୨୪ ଯାଏଁ ରାଂଚି ନଛାଡିବା ନେଇ ନିର୍ଦେଶ ଦେଇଛି । ସେହିପରି କିଛି ନେତା ନିଜର ବିଦେଶ ଗସ୍ତକୁ ମଧ୍ୟ ବାତିଲ କରିଛନ୍ତି । ଏମିତିକି ପରବର୍ତୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ମୀ କଳ୍ପନା ସୋରେନ ମଧ୍ୟ ପରବର୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି ।