ଏପ୍ରିଲ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା! ଅଫଲାଇନ୍ ପରୀକ୍ଷା ସପକ୍ଷରେ ବଢୁଛି ମତ

573

କନକ ବ୍ୟୁରୋ: କରୋନା ସଂକ୍ରମଣ କମିବା ପରେ ସ୍କୁଲ କଲେଜ ଖୋଲିଛି । ପୁଣି ଶିକ୍ଷାନୁଷ୍ଠାନରେ ସ୍ୱାଭାବିକ ଢଙ୍ଗରେ ପାଠପଢା ଆରମ୍ଭ ହୋଇଛି । ଏହାରି ଭିତରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । କିଛି ଦିନ ପୂର୍ବରୁ ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଇଣ୍ଟରନାଲ ଆସେସମେଣ୍ଟରେ ଜରିଆରେ ମୂଲ୍ୟାୟନ କରି ପରୀକ୍ଷା ଫଳ ବାହାର କରିବାକୁ ଦାବି ହେଉଛି । ତେବେ କିଛି ଛାତ୍ରଛାତ୍ରୀ ପରୀକ୍ଷା ହେବା ସପକ୍ଷରେ ମଧ୍ୟ ମତ ଦେଇଛନ୍ତି ।

ଗୋଟିଏ ପଟେ ଅଫଲାଇନ ପରୀକ୍ଷାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି କିଛି ଛାତ୍ରଛାତ୍ରୀ । ପାଠପଢା ପାଇଁ ପର୍ଯ୍ୟାପ୍ତ ସମୟ ପାଇନଥିବାରୁ ଇଣ୍ଟରନାଲ ଆସେସମେଣ୍ଟରେ ମୂଲ୍ୟାୟନ ଦାବି କରୁଛନ୍ତି । ଅନ୍ୟପଟେ ଅଫଲାଇନରେ ପରୀକ୍ଷା କରିବାକୁ ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରୁଛି ସିଏଚଏସଇ ।

  • ଏପ୍ରିଲ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା!
  • ଅଫଲାଇନ୍ ପରୀକ୍ଷା ସପକ୍ଷରେ ବଢୁଛି ମତ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ବିଶେଷଜ୍ଞ, ଅଭିଭାବକ, ଶିକ୍ଷାବିତ, କଲେଜ ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଛି ସିଏଚଏସଇ । ଶ୍ରେଣୀଗୃହରେ ପରୀକ୍ଷା କରିବାପାଇଁ ଅଧିକାଂଶ ଅଂଶୀଦାର ମତ ରଖୁଛନ୍ତି । ଆଲୋଚନା ପରେ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ପାଇଁ ଚୂଡାନ୍ତ ନିଷ୍ପତି ନିଆଯିବ । ଆଶା କରାଯାଉଛି,

  • ଏପ୍ରିଲ୍ ତୃତୀୟ ସପ୍ତାହରେ +୨ ପରୀକ୍ଷା!
  • ମାର୍ଚ୍ଚ ଶେଷ ସପ୍ତାହରେ ପ୍ରାକ୍ଟିକାଲ
  • ଏପ୍ରିଲ ତୃତୀୟ ସପ୍ତାହରେ ଥିଓରୀ ପରୀକ୍ଷା କରାଯିବା ନେଇ ପ୍ରସ୍ତୁତ ହେଉଛି ସିଏଚଏସଇ ।
  • ୩ ଲକ୍ଷ ୧୦ ହଜାର ଛାତ୍ରଛାତ୍ରୀ କରିଛନ୍ତି ଫର୍ମ ଫିଲଅପ୍

ଏପଟେ କିନ୍ତୁ ପରୀକ୍ଷା ପାଇଁ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି ଛାତ୍ରଛାତ୍ରୀ । କିଛି ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ଅଧିକ ସମୟ ପାଠପଢି ନଥିବାରୁ ଇଣ୍ଟରନାଲ ଆସେସମେଣ୍ଟରେ ମୂଲ୍ୟାୟନ ଚାହୁଁଥିବାବେଳେ ଆଉ କିଛି ଅଫଲାଇନରେ ପରୀକ୍ଷା ପାଇଁ ଯୁକ୍ତି ବାଢ଼ିଛନ୍ତି । ତେବେ ସିବିଏସଇ ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୨୬ ତାରିଖରେ କରିବାକୁ ବିଜ୍ଞପ୍ତି ପ୍ରକାଶ କରିସାରିଛି ଏବଂ ଆଇସିଏସଇ ମଧ୍ୟ ଏପ୍ରିଲ ଶେଷ ସପ୍ତାହରେ ପରୀକ୍ଷା କରିବା ନେଇ ସ୍ପଷ୍ଟ କରିଛି । ସିଏଚଏସଇ ପକ୍ଷରୁ ଖୁବଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କରିଯିବ ବୋଲି ସୂଚନା ମିଳିଛି ।