ଗିରଫ ହେଲେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଭିଜିଲାନ୍ସ ଏସପି କହିଲେ ଦେଇପାରିଲେ ନାହିଁ ଅମାପ ସମ୍ପତିର ହିସାବ ।

ଗୋରୁ ଗାଡି ଏବଂ ଲଟେରୀ କାଉଣ୍ଟରରୁ ବେଆଇନ୍ ଭାବେ ପକେଟ ଗରମ କରୁଥିଲେ ପୋଲିସ ବାବୁ

182

କନକ ବ୍ୟୁରୋ: ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଛି ପୁଲିସ । ଯେଉଁ ପୁଲିସ ବାବୁ ଅନ୍ୟମାନଙ୍କୁ ବାନ୍ଧୁଥିଲେ ଆଜି ନିଜେ ବନ୍ଧା ହୋଇଛନ୍ତି । ତାଙ୍କ କଳାକାରନାମାର ତାଲିକା ଲମ୍ବି ଲମ୍ବି ଚାଲିଛି । ଆଜି ଭିଜିଲାନ୍ସ ଏସପି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଏହି ପୁଲିସ ବାବୁଙ୍କ ପାଖରେ ଥିବା ଏତେ ସମ୍ପତି କେଉଁଠୁ ଆସିଲା, ସେନେଇ ସ୍ପଷ୍ଟ ଭାବରେ ଉତ୍ତର ନଦେଇ ପାରିବାରୁ ତାଙ୍କୁ ଗିରଫ କରାଯାଇଛି । ତେବେ ଆପଣ ଆଶ୍ଚର୍ଯ୍ୟ ହେବେ, ଏହି ପୁଲିସ ବାବୁ ୧୧ କୋଟିରୁ ଅଧିକ ଟଙ୍କାର ସମ୍ପତି ଠୁଳ କରିଛନ୍ତି ।

କୁବେର ପୁଲିସ ତ୍ରିନାଥ ମିଶ୍ର । ୧୯୮୭ ମସିହାରେ ଏସଆଇ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ଧିରେ ଧିରେ ପଦୋନ୍ନତି ପାଇ ଇନପେକ୍ଟର ଓ ତାପରେ ଅତିରିକ୍ତ ଏସପି ହୋଇଥିଲେ । ପଦୋନ୍ନତି ପାଇବା ସହ ପୋଲିସ ବାବୁ ବଢ଼ାଇ ଚାଲିିଥିଲେ ତାଙ୍କ ସମ୍ପତି । ଭିଜିଲାନ୍ସ ଯେତିକି ଖୋଳୁଛି ସମ୍ପତିର ତାଲିକା ସେତିକି ଲମ୍ବି ଚାଲିଛି  । ଆଗକୁ ମଧ୍ୟ ଆହୁରି ବଢ଼ିପାରେ ବୋଲି କୁହାଯାଉଛି ।

ଭିଜିଲାନ୍ସ ଚଢ଼ାଉବେଳେ ତାଙ୍କ ନିକଟରୁ ଠାବ ହୋଇଥିବା ଏତେ ପରିମାଣର ସମ୍ପତି କେଉଁଠି ଆସିଲା ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇ ପାରିନାହାନ୍ତି ତ୍ରିନାଥ । ତଦନ୍ତ ଚାଲିଥିବାରୁ ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତ୍ରିନାଥଙ୍କ ଆୟର ଉତ୍ସ ନେଇ ଗୁମର ଖୋଲି ନାହାଁନ୍ତି । ହେଲେ , ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲଟେରୀ କାଉଁଣ୍ଟର ଓ ଗୋରୁ ଗାଡିରୁ ଟଙ୍କା ନେଇଥାନ୍ତି ତ୍ରିନାଥ ।

କିଏ କେଉଁ ଏରିଆରେ ଲଟେରୀ କାଉଁଣ୍ଟର  କରିବ ଆଉ ମାସକୁ କେତେ କିଏ ଦେବ ତାହା ବାବୁ ଫିକ୍ସ କରନ୍ତି । ଯେଉଁ ଲଟେରୀ କାଉଁଟର ବାବୁଙ୍କ କଥା ମାନୁନଥିଲେ କି ବଟି ଦେଉନଥିଲେ ସେମାନଙ୍କ ଉପରେ ଚଢ଼ାଉ କରୁଥିଲେ । ରାତିରେ ବେଆଇନ ଭାବେ ଯାଉଥିବା ଗୋରୁ ଗାଡିରୁ ମାସିକ ବଟି ଆଦାୟ କରି, ଥାନା ବାବୁଙ୍କ ଜରିଆରେ ପକେଟକୁ ନିଅନ୍ତି ।  ଡି-ବ୍ରଦର୍ସଙ୍କ ସହ ତ୍ରିନାଥ ମିଶ୍ରଙ୍କ ଲିଙ୍କ ନେଇ  ମଧ୍ୟ ଚର୍ଚ୍ଚା ହୁଏ । ସେମାନଙ୍କ ଗିରଫଦାରୀ ଓ ସମ୍ପତି ଖାନତଲାସିରେ ତ୍ରିନାଥଙ୍କର କଣ ଭୂମିକା ଥିଲା ତାହା ମଧ୍ୟ ସନ୍ଦେହ ଘେରରେ ଥିଲା । ତ୍ରିନାଥଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିବା ପରେ ମଙ୍ଗଳବାର ତାଙ୍କର ୧୧ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।