ସାମନାକୁ ଆସିଲା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କଳା କାରନାମା । ତଦନ୍ତରୁ ମିଳିଲା ୧୪ ନୁହେଁ ଅଛନ୍ତି ୧୭ ସ୍ତ୍ରୀ

716

କନକ ବ୍ୟୁରୋ: ଫିଟୁଛି ନକଲି ଡାକ୍ତରଙ୍କ ନୂଆ କାରନାମା । ୧୪ ନୁହେଁ ୧୭ ଜଣଙ୍କୁ ବାହା ହୋଇଥିଲେ ନକଲି ଡାକ୍ତର ରମେଶ ସ୍ୱାଇଁ । ଏମାନଙ୍କ ମଧ୍ୟରେ ଥିଲେ ଡାକ୍ତର, ଚାଟାର୍ଡ ଆକାଉଣ୍ଟ ଓ ଉଚ୍ଚ ଶିକ୍ଷିତା ମହିଳା । ମହିଳାଙ୍କୁ ଫସାଇବାକୁ ସେ ଜାଲ ଚିଠି ବନାଉଥିଲେ । ଏହାପଛରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ସେମାନଙ୍କ ସମ୍ପତି ହଡପ କରିବା । ନିଜକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଉପ-ମହାନିର୍ଦ୍ଦେଶକ ଥିବା ପ୍ରମାଣିତ କରିବା ପାଇଁ ସେ ନକଲି  ଚିଠିକୁ ବ୍ୟବହାର କରୁଥିଲେ ।

  • ଦିନ ଗଡୁଛି, ସଂଖ୍ୟା ବଢୁଛି
  • ୧୪ ନୁହେଁ ୧୭ ସ୍ତ୍ରୀଙ୍କ ମିଳିଲା ସନ୍ଧାନ

୧୪ ନୁହେଁ ବରଂ ୧୭ ଜଣଙ୍କୁ ବାହା ହୋଇଥିଲେ ଗିରଫ ନକଲି ଡାକ୍ତର ରମେଶ ସ୍ୱାଇଁ । ଗୈାହାଟୀର ଜଣେ ଡାକ୍ତର, ଛତିଶଗଡର ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟଙ୍କ ସହ ଓଡିଶାର ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ମଧ୍ୟ ବିବାହ କରିଥିବା ନେଇ କମିଶନରେଟ ପୋଲିସକୁ ସୂଚନା ମିଳିଛି । ଏହା ସହ ଏମବିବିଏସରେ ଆଡମିଶନ କରାଇଦେବା ନାଁରେ ୧୮ ଲକ୍ଷ ଟଙ୍କା ଠକିଥିବା ନେଇ ଅଭିଯୋଗ ହେଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ଧରାପଡିଲା ନକଲି ଡାକ୍ତରଙ୍କ ନୂଆ କାରନାମା

ନିଜକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଉପ-ମହାନିର୍ଦ୍ଦେଶକ ଥିବା ପ୍ରମାଣିତ କରିବା ପାଇଁ ଚିଠିକୁ ବ୍ୟବହାର କରୁଥିଲେ କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଥିବା ୧୭ ସ୍ତ୍ରୀଙ୍କ ସ୍ୱାମୀ ବିଧୁ ପ୍ରକାଶ ସ୍ୱାଇଁ ଓରଫ ରମେଶ । ସୂଚନା ଅନୁସାରେ, ଏହି ଚିଠି ଦେଖାଇ ୨୦୧୮ ମସିହାରେ ଢେଙ୍କାନାଳର ଜଣେ ପ୍ରତିଷ୍ଠିତ ଲୁଗା ବ୍ୟବସାୟୀଙ୍କ ବିଶ୍ୱାସଭାଜନ ହେବାକୁ ଉଦ୍ୟମ କରିଥିଲେ ଏହି ଠକ । କୁହାଯାଉଛି, ସେ ଏହି ମହିଳା ବ୍ୟବସାୟୀଙ୍କୁ ଫସାଇବାରେ ସଫଳ ମଧ୍ୟ ହୋଇଥିଲେ । ପୋଲିସ ଗିରଫ କରିନଥିଲେ ହୁଏତ କମ ଦିନ ଭିତରେ ତାଙ୍କୁ ବିବାହ କରିଥାନ୍ତେ ।

୭ ରାଜ୍ୟରେ ୧୭ ପତ୍ନୀଙ୍କ ସହ ରାଜକୀୟ ଠାଣିରେ ଚଳୁଥିଲା ଏହି ଚାରିଶ ବିଶ । ମୁଖ୍ୟ ଉଦ୍ଦେଶ୍ୟ ଥିଲା ସେମାନଙ୍କ ସମ୍ପତି ହରିଲୁଟ୍ କରିବା । ପ୍ରାଥମିକ ତଦନ୍ତରୁ ଠକ ରମେଶ ଏହି ମହିଳାମାନଙ୍କ ଠାରୁ ସୁନା ଗହଣା ସମେତ କୋଟିଏରୁ ଅଧିକ ଟଙ୍କା ହଡପ କରିସାରିଛି । ରମେଶର ୧୨ ବ୍ୟାଙ୍କ ପାସବୁକ ଜବତ କରି ପୋଲିସ ଛାନଭିନ କରୁଛି । ତେବେ ଡାକ୍ତର ପରିଚୟ ଦେଇ ରମେଶ ୨୦୦୬ ମସିହାରେ ଭୁବନେଶ୍ୱରରେ ଏକ ଠକେଇ ମାମଲାରେ ଗିରଫ ହୋଇଥିବା ପୋଲିସକୁ ସୂଚନା ମିଳିଛି । ବ୍ୟାଙ୍କ ଋଣ ନେଇ ଠକିଥିବା ଜଣାପଡିବା ପରେ ଘଟଣାର ତଦନ୍ତ କରୁଛି ପୋଲିସ ।

ବର୍ତ୍ତମାନ ମଧ୍ୟ ଅନେକ ମହିଳା ରମେଶଙ୍କୁ ବିବାହ କରିବାକୁ ଲାଇନରେ ଥିଲେ ବୋଲି ଜଣାପଡିଛି ।  ସ୍ୱତନ୍ତ୍ର ଟିମ ଗଠନ କରିବା ସହ ଧୂର୍ତ୍ତ ନକଲି ଡାକ୍ତରକୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ କରିବାକୁ ଉଦ୍ୟମ ଆରମ୍ଭ କରିଛି ପୋଲିସ ।