ଯୁକ୍ତ ଦୁଇ ନାମଲେଖା : ଆଜିଠୁ ଆବେଦନ; ଅଗଷ୍ଟ ୧୭ରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ

151

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ଦୁଇ ନାମଲେଖା ହେବ ।www.samsodisha.gov.in ରେ ଛାତ୍ରଛାତ୍ରୀମାନେ ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅଗଷ୍ଟ ୧୭ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ଏବଂ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୧୯ରୁ ୨୫ ମଧ୍ୟରେ ହେବ ।

ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଯଦି ଅପସନ୍ ଦେଇଥିବା ଅନ୍ୟ କଲେଜରେ ନାମ ଲେଖାଇବାକୁ ଚାହୁଁଥିବେ ତେବେ ୧୯ରୁ ୨୭ ତାରିଖ ମଧ୍ୟରେ ସ୍ଲାଇଡ୍ ଅପ୍‌ ଅନୁରୋଧ ଦେଇପାରିବେ । ସେପ୍ଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୫ରୁ ୭ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କର ନାମଲେଖା ହେବ । ସେପ୍ଟେମ୍ବର ୧୩ରେ ସ୍ପଟ୍‌ ସିଲେକ୍ସନ ତାଲିକା ପ୍ରକାଶ ପାଇବ ଏବଂ ୧୩ ଓ ୧୪ ତାରିଖରେ ଏହି ଛାତ୍ରଛାତ୍ରୀ ଚୟନ ହୋଇଥିବା ସ୍କୁଲରେ ନାମ ପଞ୍ଜୀକରଣ କରିବେ। ସେପ୍ଟେମ୍ବର ୧୫ ପୂର୍ବାହ୍ନ ୧୧ଟାରେ ସ୍କୁଲରେ ନାମ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।

ସେହ‌ିଦିନ ମଧ୍ୟାହ୍ନ ୧୨ଟାରୁ ୧୬ତାରିଖ ଅପରାହ୍ନ ୫ଟା ମଧ୍ୟରେ ସ୍ପଟ୍ ସିଲେକ୍ସନ୍ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଏପଟେ ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରେ ଯୁକ୍ତ ଦୁଇ ପାଇଁ ଶତପ୍ରତିଶତ ପାଠପଢା ଓ ପରୀକ୍ଷା କରାଯିବ । ଅର୍ଥାତ ୨୦୨୩ରେ ପରୀକ୍ଷା ଦେବାକୁ ଥିବା ପିଲାମାନେ ଶତପ୍ରତିଶତ ସିଲାବସ ପଢିବେ ।