ଆଜିଠାରୁ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା ଏବଂ ଡିଜେଲ ୭ ଟଙ୍କା ହେବ ଶସ୍ତା । ମହଙ୍ଗା ମାଡ ବେଳେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ

216

କନକ ବ୍ୟୁରୋ : ମହଙ୍ଗା ମାଡ଼ରୁ ଗ୍ରାହକଙ୍କୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ପେଟ୍ରୋଲ ଓ ଡିଜେଲ୍ ଉପରୁ ଏକ୍ସାଇଜ୍ ଡ୍ୟୁଟି କମାଇବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଡିଜେଲ ଉପରୁ ୬ଟଙ୍କା ଏକ୍ସସାଇଜ ଡ୍ୟୁଟି ଓ ପେଟ୍ରୋଲ ଉପରୁ ୮ଟଙ୍କା ଏକ୍ସସାଇଜ ଡ୍ୟୁଟି କମ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଫଳରେ ପେଟ୍ରୋଲ ୯ଟଙ୍କା ୫୦ପଇସା ଓ ଡିଜେଲ ୭ଟଙ୍କା କମିବ । ଆଜିଠାରୁ ନୂଆ ଦର ଲାଗୁ ହେବ ।
ସେହିପରି ଉଜ୍ଜଳା ଯୋଜନା ଆଧାରରେ ଏଲପିଜି ସିଲିଣ୍ଡରରେ ୨୦୦ ଟଙ୍କା ସବସିଡି ମିଳିବ । ଏ ନେଇ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଉଜ୍ଜ୍ୱଳା ଯୋଜନାରେ ବର୍ଷକୁ ୧୨ଟି ଏଲପିଜି ସିଲିଣ୍ଡରରେ ମିଳିବ ୨ଶହ ଟଙ୍କାର ସବସିଡି । ଯାହାଦ୍ୱାରା ୯କୋଟିରୁ ଅଧିକ ଲୋକେ ଲାଭବାନ ହେବେ । ସେପଟେ ଗ୍ରାହକଙ୍କୁ ସବସିଡି ମିଳିବା ଦ୍ୱାରା କେନ୍ଦ୍ର ସରକାର ବାର୍ଷିକ ୬ହଜାର ୧୦୦କୋଟି ଟଙ୍କାର ରାଜସ୍ୱ ହରାଇବେ । କେନ୍ଦ୍ର ସରକାର ଉତ୍ପାଳ ଶ୍ଲୁକ କମାଇବା ପରେ କେରଳ ସରକାର ପେଟ୍ରୋଲ ଉପରୁ ୨ ଟଙ୍କା ୪୧ ପଇସା ଏବଂ ଡିଜେଲ ଉପରୁ ଏକ ଟଙ୍କା ୩୬ ପଇସା ଟ୍ୟାକ୍ସ ହ୍ରାସ କରାଇଛନ୍ତି । ତେଲ ଦର କମିବା ପରେ ବିଭିନ୍ନ ଜିନିଷର ଦର ଦାମ କମିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଗତ କିଛି ମାସ ଧରି ପେଟ୍ରୋଲ ଓ ଡିଜେଲ୍ ଦର ବ୍ୟତୀତ ରୋଷେଇ ଗ୍ୟାସ ଦର ଲଗାତର ବୃଦ୍ଧି ପାଇଥିଲା । ଯାହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ପକେଟ ଉପରେ ପଡ଼ିଥିଲା । ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ଯୋଗୁଁ ଦରଦାମ ମଧ୍ୟ ବଢ଼ିଛି । ଯାହାକୁ ନେଇ ସାଧାରଣ ଲୋକେ ଓ ବିରୋଧୀ ଦଳ ଦର କମାଇବାକୁ ବାରମ୍ବାର ଦାବି କରିଥିଲେ । ଏବେ ସରକାର ସାଧାରଣ ଲୋକଙ୍କ ସମସ୍ୟାକୁ ବୁଝି ଦର କମାଇବାକୁ ନିଷ୍ପତି ନେଇଛନ୍ତି ।