ଭାରତରେ ବିବିସିକୁ ବ୍ୟାନ କରିବାକୁ ହିନ୍ଦୁସେନାର ଆବେଦନ,ସୁପ୍ରିମକୋର୍ଟରେ ଖାରଜ

422

କନକ ବ୍ୟୁରୋ : ଗୁଜରାଟ ଦଙ୍ଗା ଉପରେ ବିବିସି ତରଫରୁ ପ୍ରସ୍ତୁତ କରାଯାଇଥିବା ଡକ୍ୟୁମେଣ୍ଟାରୀ ସହ ଭାରତରେ ବିବିସିର କାର୍ଯ୍ୟକ୍ରମକୁ ବନ୍ଦ କରିବା ନେଇ ହିନ୍ଦୁସେନା ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ତରଫରୁ କୁହାଯାଇଛି କି ଏହି ଆବେଦନ ଭୁଲ ଓ ଏହା କୋର୍ଟର ସମୟ ନଷ୍ଟ କରୁଛି ଏବଂ କୋର୍ଟ ତରଫରୁ ଏଭଳି ଆଦେଶ ଦିଆଯାଇପାରିବ ନାହିଁ ।

ହିନ୍ଦୁସେନା ତରଫରୁ କରାଯାଇଥିବା ଆବେଦନରେ କୁହାଯାଇଥିଲା କି ବିବିସି ବା ବ୍ରିଟିସ ବ୍ରଡକାଷ୍ଟିଂ କର୍ପୋରେଶନର କାର୍ଯ୍ୟକ୍ରମ ଉପରେ କୋର୍ଟ ପ୍ରତିବନ୍ଧକ ଲଗାନ୍ତୁ ଓ ବିବିସିକୁ ଭାରତରେ ବ୍ୟାନ କରାଯାଉ । କେବଳ ସେତିକି ନୁହେଁ ହିନ୍ଦୁସେନା ତା’ର ଆବେଦନରେ କହିଥିଲା କି, ବିବିସି ଦ୍ୱାରା ଭାରତର ଏକତା ଓ ଅଖଣ୍ଡତା ଭଙ୍ଗ କରିବାକୁ ଷଡଯନ୍ତ୍ର କରାଯାଉଛି । ଏହାର ଯାଂଚ ଜାତୀୟ ଯାଂଚ ଏଜେନ୍ସି ଦ୍ୱାରା କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ । ଏହାପୂର୍ବରୁ ଫେବୃଆରୀ ୩ ତାରିଖରେ ସୁପ୍ରିମକୋର୍ଟ ତରଫରୁ ୨୦୦୨ ଦଙ୍ଗା ସମ୍ବନ୍ଧିତ ବିବିସି ଡକ୍ୟୁମେଣ୍ଟାରୀକୁ ସେନ୍ସର କରିବାରୁ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶ ଉପରେ ଜବାବ୍ ରଖିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ । କୋର୍ଟଙ୍କ ତରଫରୁ ବିବିସି ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ ଦ ମୋଦୀ କ୍ୱେଶ୍ଚନ’କୁ ବ୍ଲକ କରିବା ନିଷ୍ପତ୍ତି ସମ୍ବନ୍ଧିତ ପ୍ରାସଙ୍ଗିକ ରେକର୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କୋର୍ଟଙ୍କ ତରଫରୁ ଏହି ମାମଲାର ଶୁଣାଣି ଏପ୍ରିଲ ମାସରେ ହେବ । ବରିଷ୍ଠ ସାମ୍ବାଦିକ ଏନ୍ ରାମ, ଟିଏମସି ସାଂସଦ ମହୁଆ ମୋଇତ୍ରା ଓ ଓକିଲ ପ୍ରଶାନ୍ତ ଭୁଷଣଙ୍କ ତରଫରୁ ଓକିଲ ସିୟୁ ସିଂ କୋର୍ଟଙ୍କୁ କହିଥିଲେ କି ଏହା ଏଭଳି ଏକ ମାମଲା ଯାହା ବିନା ଆଦେଶରେ ଜରୁରୀକାଳୀନ ଶକ୍ତି ଦ୍ୱାରା ଲାଗୁ କରାଯାଇଛି । ଏହାସହ ସିୟୁ ସିଂ କହିଥିଲେ କି ଏହି ଡକ୍ୟୁମେଣ୍ଟାରୀର ଲିଙ୍କ ସେୟାର କରିଥିବା ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ବ୍ଲକ କରିଦିଆଯାଇଛି । ଏହା ଉପରେ କୋର୍ଟ କହିଥିଲେ କି ଏନେଇ କେନ୍ଦ୍ର ସରକାରଙ୍କୁ ଏହାସହିତ ଜଡିତ ଫାଇଲ ମଗାଯାଇଛି, ଫାଇଲ ଆସିବା ପରେ ଯାଂଚ ହେବ ।