ମୁହଁ ଖୋଲିଲେ ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ବିଜୟିନୀଙ୍କ ମାଆ । କହିଲେ, ପ୍ରସବ ବେଳେ ଠିକ୍ ନଥିଲା ମାନସିକ ସ୍ଥିିତି ।

612

କନକ ବ୍ୟୁରୋ: ରେଙ୍ଗାଲି ଲାରିପାଲିର ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା କୁନି ଝିଅର ମାର ପରିଚୟ ମିଳିଛି । ଏବେ ସେ କହିଥିବା କଥାକୁ ନେଇ ଚର୍ଚ୍ଚା ବଢିଛି । ଯଦିଓ ସେ ନିଜେ ସ୍ୱୀକାର କରିଛନ୍ତି ମାନସିକ ଭାରସାମ୍ୟ ହରାଇ ଝିଅକୁ ବୋରୱେଲକୁ ଫିଙ୍ଗିଦେଇଥିଲେ । କିନ୍ତୁ ଡାକ୍ତର ଏହାକୁ ଅସ୍ୱୀକାର କରିଛନ୍ତି । ବିଜୟନୀଙ୍କ ମାଙ୍କ ମାନସିକ ଅବସ୍ଥା ଠିକ୍ ଅଛି ବୋଲି କହୁଛନ୍ତି ।

ତେବେ ଥରେ ଚିନ୍ତା କରନ୍ତୁ, ସିଏ କେମିତିକା’ ମା’, ଯିଏ ଜନ୍ମ କଲା ଛୁଆକୁ ଚିହ୍ନି ପାରୁନାହିଁ । ସେଇ ମା’ର କଥାକୁ ଏ ଦୁନିଆ କେତେ ବିଶ୍ୱାସ କରିବ, ତାହା ବି ସନ୍ଦେହଜନକ । କାରଣ, ବୁଦ୍ଧି-ବିଚାର ନଥିବା ପଶୁଟିଏ ନିଜ ଜନ୍ମକଲା ଛୁଆ ପାଖକୁ କାହାରିକୁ ଛାଡୁନଥିବା ବେଳେ, ମାନସିକ ସ୍ଥିତିର ଆଳ କରି ଜଣେ ମା’ ନବଜାତ ଶିଶୁକୁ ବୋର୍ୱେଲ ଭିତରକୁ ଫିଙ୍ଗି ଦେଇପାରିଲେ କେମିିତି?
ବିଜୟିନୀର ମା’ ସଫେଇ ଦେଇ କହୁଛନ୍ତି, ତାଙ୍କର ମାନସିକ ସ୍ଥିତି ଠିକ୍ ନଥିଲା । ଏପଟେ ତାଙ୍କୁ ଚିକିତ୍ସା କରୁଥିବା ମାନସିକ ବିଭାଗ ମୁଖ୍ୟ କହିଛନ୍ତି, ମହିଳାଙ୍କର ମାନସିକ ସ୍ଥିତି ଠିକ୍ ରହିଛି । ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ତେବେ ଯେଉଁ ଝିଅ ଦିନେ ଅଲୋଡ଼ା ଥିଲା । ଅଲୋଡ଼ା ହୋଇ ମୃତ୍ୟୁର ଦ୍ୱାର ଯାଏଁ ପହଂଚିଯାଇଥିଲା । ସେଇ ଝିଅ ଆଜି ଅଲିଅଳି । ବିଜୟିନୀଙ୍କୁ ଝିଅ ଭାବେ କୋଳେଇ ନେବା ପାଇଁ ବାପା-ମା’ଙ୍କ ଲାଇନ୍ ଲାଗୁଛି । ଓଡ଼ିଶାର ଲୋକପ୍ରିୟ ଡାକ୍ତର ଶଙ୍କର ରାମଚନ୍ଦାନୀ ବିଜୟିନୀକୁ ଝିଅ ବୋଲି ସମ୍ବୋଧନ କରିବା ସହ ତାର ପାଠପଢ଼ା ଖର୍ଚ୍ଚ ସବୁଦିନ ପାଇଁ ବହନ କରିବେ ବୋଲି ଘୋଷଣା କରିଛନ୍ତି ।

ବିଜୟିନୀଙ୍କୁ ପରିଚୟ ଦେବା ପାଇଁ କେତେ ବାପା-ମା’ ଆଗ୍ରହୀ । ହେଲେ ବିଡ଼ମ୍ବନା ଦେଖନ୍ତୁ-ଏଇ ପରିଚୟ ଟିକକ ଲୁଚାଇବା ପାଇଁ ସେଦିନ ବିଜୟିନୀକୁ ବୋରୱେଲକୁ ପିଙ୍ଗି ଦେଇଥିଲେ ତାର ଜନ୍ମକଲା ମା’ ।