୨ ମାସ ପରେ ଚଳଚଞ୍ଚଳ ପାରାଦୀପ ମାଛ ଧରା ବନ୍ଦର: ବରୁଣ ଦେବଙ୍କ ପୂଜାର୍ଚ୍ଚନା ପରେ ସମୁଦ୍ର ମାଛ ମାରିବାକୁ ଯାଇଛନ୍ତି ବୋଟ୍

111

କନକ ବ୍ୟୁରୋ: ହଟିଛି ଦୁଇ ମାସର କଟକଣା । ପାରାଦୀପ ମାଛଧରା ବନ୍ଦରରେ ପୁଣି ଗହଳଚହଳ ଆରମ୍ଭ ହୋଇଛି । ସରକାରଙ୍କ ମାଛଧରା କଟକଣା ହଟିବା ପରେ ସମୁଦ୍ରକୁ ମାଛ ଧରିବା ପାଇଁ ଯିବା ପୂର୍ବରୁ ବରୁଣ ଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି ବୋଟ ମାଲିକମାନେ । ମାଛ ବଂଶ ବୃଦ୍ଧି ପାଇଁ ସବୁ ବର୍ଷ ଏପ୍ରିଲ ୧୫ରୁ ଜୁନ୍ ୧୫ ତାରିଖ ଯାଏଁ ସମୁଦ୍ରରେ ମାଛ ଧରା ଉପରେ କଟକଣା ଲଗାଇଥାନ୍ତି ସରକାର । ଫଳରେ ଖାଁ ଖାଁ ଲାଗୁଥିଲା ପାରାଦୀପ ମାଛଧରା ବନ୍ଦର ।

କଟକଣାର ଅବଧି ସରିବା ପରେ ଫେରିଆସିଛନ୍ତି ସମସ୍ତ କର୍ମଚାରୀ । ସମ୍ପୂର୍ଣ୍ଣ ଭାବରେ ଚଳଚଂଚଳ ହୋଇପଡିଛି ମାଛଧରା ବନ୍ଦର । ପାରାଦୀପ ନେହେରୁ ବଙ୍ଗଳା ସ୍ଥିତ ମାଛଧରା ବନ୍ଦରରେ ୩ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ସହିତ ବରୁଣ ଦେବଙ୍କ ପୂଜାର୍ଚ୍ଚନା କରାଯାଇଛି । ଏହାପରେ ସମସ୍ତ ବୋଟ ଓ ଡଙ୍ଗା ସମୁଦ୍ରକୁ ମାଛ ଧରିବା ପାଇଁ ବାହାରି ଯାଇଛନ୍ତି । ତେବେ ତୈଳଦରର ଅହେତୁକ ମୂଲ୍ୟ ବୃଦ୍ଧି ଓ ବରଫ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀର ମୁଲ୍ୟବୃଦ୍ଧିକୁ ନେଇ ମାଲିକମାନେ ଚିନ୍ତାରେ ପଡିଥିବା କହିଛନ୍ତି ଓଡିଶା ମେରାଇନ୍ ଫିସ୍ ପ୍ରଡକ୍ଟ ଆସୋସିଏସନ୍ ।