ଅଭାବି ପରିବାରରେ ବସା ବାନ୍ଧିଛି ଦୁଃଖ: ଅଜଣା ରୋଗରେ ପୀଡିତ ଗୋଟିଏ ପରିବାରର ୪ ପୁଅ

99

କନକ ବ୍ୟୁରୋ: ପଙ୍ଗୁ ପାଲଟିଗଲାଣି ପୁରା ପରିବାର । ଗୋଟିଏ ପରିବାରର ଚାରୋଟି ପୁଅ ସଂପୂର୍ଣ୍ଣ ଅଚଳ ହୋଇଗଲେଣି । ଖେଳିବା ବୁଲିବା ବୟସରେ କଙ୍କାଳସାର ଶରୀର ସେମାନଙ୍କୁ ଅଣନିଶ୍ୱାସୀ କରିଦେଲାଣି । ୪ ଭାଇଙ୍କୁ ଦେଖିଲେ ଲାଗୁଛି, ଯେମିତି ହାଡ ଉପରେ ଚମଡା ଢଙ୍କା ହୋଇଛ । ଏଇ ୪ ଭାଇ ହେଉଛନ୍ତି, ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ପୁଟୁରୁପଡା ଗାଁର ୨୦ ବର୍ଷିୟ ପ୍ରଫୁଲ ରଇତ, ୧୭ ବର୍ଷିୟ ବଡନାଥ ରଇତ, ଖୀରସିନ୍ଧୁ ରଇତ ଓ ସାନୁ ରଇତ ।

ଏମାନେ ସମସ୍ତ ଜନ୍ମରୁ ୧୦ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଥିଲେ । ପରବର୍ତୀ ସମୟରେ ଏମାନଙ୍କ ଗୋଡ-ହାତ ସବୁ ସବୁ ହୋଇଯାଉଛି । କୈଳାସ ରଇତଙ୍କ ୪ ପୁଅ ଏମିତି ଅଜଣା ରୋଗର ଶିକାର ହେବା ପରେ ବହୁ ଚିକିତ୍ସା କରାଇ ନିରାସ ହୋଇଛନ୍ତି ପରିବାର । ଭଙ୍ଗା ଦଦରା ଘରେ ରହି ପିଲାମାନେ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଦୁଇ ପୁଅଙ୍କୁ ୭ଶହ ଟଙ୍କା ଲେଖାଏ ଭତା ଓ ଟଙ୍କିକିଆ ଚାଉଳ ମିଳୁଛି । ବାସ୍ ସେତିକିରେ ଏମିତି ଦୁର୍ବିସହ ଜୀବନ ଜିଉଁଛନ୍ତି ୪ ଭାଇ ଓ ବାପା-ମାଆ ।