ପାକିସ୍ତାନବାସୀ ପାଉନାହାଁନ୍ତି ସ୍ୱାସ୍ଥ୍ୟସେବା । ଔଷଧ ଯୋଗାଣ ବନ୍ଦ, ଡାକ୍ତରଖାନାରେ ତାଲା । ଛଟପଟ୍ ହେଉଛନ୍ତି ରୋଗୀ, ଯାଉଛି ଜୀବନ

93

କନକ ବ୍ୟୁରୋ: ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ସ୍ଥିତି ଏଭଳି ହେଲାଣି କି ଏଠାକାର ଡାକ୍ତରଖାନାରେ ପଡିଲାଣି ତାଲା । ଜୀବନ ବଞ୍ଚାଇବାକୁ ନାହିଁ ଔଷଧ । ମୁଦ୍ରାଭଣ୍ଡାର ଖାଲି ଭିତରେ ପାକିସ୍ତାନ ସରକାର ଔଷଧ ଆମଦାନୀ କରିପାରୁନାହାଁନ୍ତି କିମ୍ବା ନିଜ ଦେଶର ଔଷଧ ଉତ୍ପାଦନ କରିବାକୁ ସକ୍ଷମ ନୁହଁନ୍ତି । ପାକିସ୍ତାନ ଗଣମାଧ୍ୟମ ଅନୁସାରେ ମାରାତ୍ମକ ରୋଗ ପାଇଁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ମାତ୍ରାରେ ସାଧନ ନାହିଁ । ଡାକ୍ତରଖାନାରେ ମୁଣ୍ଡବିନ୍ଧା ପାଇଁ ଡିସପ୍ରିନ, ଇନସୁଲିନ ଓ ଅନ୍ୟ ଜରୁରୀ ଔଷଧ ମଧ୍ୟ ମିଳୁନାହିଁ । ଘରୋଇ ହସପିଟାଲରେ ଛଟେଇ ଯୋଗୁଁ ରୋଗୀଙ୍କ ସେବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାର ସ୍ୱାସ୍ଥ୍ୟକର୍ମୀ ମଧ୍ୟ ନାହାଁନ୍ତି ।

ହାର୍ଟ, କିଡନୀ ଏବଂ କ୍ୟାନସର ଅପରେସନ୍ ଭଳି ସମ୍ବେଦନଶୀଳ ଅସ୍ତ୍ରୋପଚାର ପାଇଁ ଆନାସଥେଟିକ ଆବଶ୍ୟକ ରହିଛି । ଯାହା ଶେଷ ହେବାକୁ ଆଉ ଦୁଇ ସପ୍ତାହ ବାକି ରହିଛି । ଏଭଳି ସ୍ଥିତିରେ ଆଗକୁ ପାକିସ୍ତାନ ସ୍ଥିତି ଆଗକୁ ଭୟଙ୍କର ହେବା ଏକ ପ୍ରକାର ଥୟ ।

କେବଳ ଏତିକି ନୁହେଁ, ଘରୋଇ ଉତ୍ପାଦନ ପାଇଁ ସକ୍ରିୟ ଫାର୍ମାସ୍ୟୁଟିକାଲ୍ ଉପାଦାନଗୁଡ଼ିକର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ନୁହେଁ । ରିପୋର୍ଟ ଅନୁଯାୟୀ, ଅନେକ ଘରୋଇ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଔଷଧ ଉତ୍ପାଦନ ବନ୍ଦ କରିଦେଇଛନ୍ତି ଏବଂ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ଅବସ୍ଥା ଖରାପ ରହିଛି । ଏହି କାରଣରୁ ଡାକ୍ତରମାନଙ୍କୁ ନିର୍ଦ୍ଧାରିତ ଅସ୍ତ୍ରୋପଚାର ମଧ୍ୟ ସ୍ଥଗିତ ରଖିବାକୁ ପଡିଛି । ଏବଂ ଆବଶ୍ୟକ ଔଷଧ ଏବଂ ଯନ୍ତ୍ରପାତି ଅଭାବରୁ ସେମାନେ ରୋଗୀମାନଙ୍କ ଉପରେ ଅପରେସନ୍ କରିପାରୁ ନାହାନ୍ତି ।

ପାକିସ୍ତାନରେ ଦେଖାଦେଇଥିବା ସାମ୍ପ୍ରତିକ ସଙ୍କଟ ଯୋଗୁଁ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି ଏବଂ ଏହି କାରଣରୁ ପଡୋଶୀ ଦେଶ ବିଦେଶରୁ ଅତ୍ୟାବଶ୍ୟକ ଔଷଧ ଆମଦାନୀ କରିବାରେ ସକ୍ଷମ ହୋଇପାରୁନି ପାକିସ୍ତାନ ।

ପାକିସ୍ତାନରେ ମିଳୁନି ଔଷଧ

• ବିଦେଶରୁ ଆମଦାନି ଉପରେ ପାକିସ୍ତାନର ଔଷଧ ବଜାର ସମ୍ପୂର୍ଣ୍ଣ ନିର୍ଭରଶୀଳ
• ଘରୋଇ ଉତ୍ପାଦନ ପାଇଁ ବ୍ୟବହୃତ କଞ୍ଚାମାଲର ୯୫% ଆମଦାନୀ ହୋଇଥାଏ
• ଭାରତ-ଚୀନ୍ ସମେତ ଅନ୍ୟ ଦେଶରୁ ପାକିସ୍ତାନ ଅତ୍ୟାବଶ୍ୟକ କଂଚାମାଲ ଆମଦାନୀ କରିଥାଏ
• ଆମଦାନୀ ବନ୍ଦ ହେତୁ ଏଠାରେ ଚିକିତ୍ସା ମଧ୍ୟ ମହଙ୍ଗା ହେଲାଣି
• ଦୁଇ ସପ୍ତାହ ଭିତରେ ଅର୍ଥ ସଙ୍କଟ ସମାଧାନ ଜରୁରୀ, ନଚେତ ସ୍ଥିତି ଅସମ୍ଭାଳ ହେବା ଆଶଙ୍କା ରହିଛି

ଆର୍ଥିକ ସଙ୍କଟ ଭିତରେ ଆଣ୍ଠେଇ ପଡିଛି ପାକିସ୍ତାନ । ଆଇଏମଏଫଠୁ ଋଣ ଆଶାରେ ଥିବା ପାକିସ୍ତାନର ସ୍ଥିତିି ବିଗିଡିବାରେ ଲାଗିଛି । ସେପଟେ ଡ୍ରଗ୍ ଉତ୍ପାଦନ ଶିଳ୍ପଗୁଡିକ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି କଂଚାମାଲ ଶୀଘ୍ର ଆମଦାନୀ ନହେବ, ତେବେ ଏଠାରେ ଔଷଧର ମୂଲ୍ୟ ବୃଦ୍ଧି ନିଶ୍ଚିତ ହେବ ।