ଦୁଇ ମୁଠା ଦାନା ପାଇଁ ଡହଳ ବିକଳ ପାକିସ୍ତାନ । ମାଗଣା ଅଟା ବଣ୍ଟନ ବେଳେ ଦଳାଚକଟା, ଗଲାଣି ୧୨ଜଣଙ୍କ ଜୀବନ

157

କନକ ବ୍ୟୁରୋ : ଶୋଚନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଖାଦ୍ୟ ମୁଠେ ପାଇବାକୁ ଡହଳବିକଳ ହେଉଛନ୍ତି ପାକିସ୍ତାନବାସୀ । କେଉଁଠି ଖାଦ୍ୟ ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଛି ତ ଆଉ କେଉଁଠି ଖାଦ୍ୟ ମୁଠେ ପାଇଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲାଣି । । ବିଭିନ୍ନ ସ୍ଥାନରେ ବିତରଣ କେନ୍ଦ୍ର ଏବଂ ଟ୍ରକରୁ ଗହମ ଓ ଅଟା ଲୁଟିନେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏପରିକି ଲୋକଙ୍କ ଭୋକ ଜୀବନ ନେବାକୁ ପଛାଇନାହିଁ । ନିକଟରେ ମାଗଣା ଅଟା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ଘଟି ୧୨ ଜଣ ଲୋକଙ୍କ ପ୍ରାଣ ଯାଇଛି । ଯେଉଁଥିରେ ୮ ଜଣ ମହିଳାଙ୍କ ମୃତ୍ୟୁ ହେବା ସହ ତିନି ଛୋଟ ପିଲାଙ୍କ ଜୀବନ ଯାଇଛି । ପବିତ୍ର ରମଜାନ ମାସ ଚାଲିଥିବାବେଳେ ପାକିସ୍ତାନ ସରକାର ଶେହବାଜ ସରିଫ ଲୋକଙ୍କୁ ମାଗଣା ଅଟା ବାଣ୍ଟିବା ବ୍ୟବସ୍ଥା କରିଥିବାବେଳେ ଏପରି ଅଘଟଣ ଘଟିଛି ।

ଦରବୃଦ୍ଧି ଯୋଗୁଁ ଅତି ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଛି ପାକିସ୍ତାନ । ସତେ ଯେମିତି ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି । ଲୋକମାନେ ଖାଦ୍ୟ ପାଇଁ ଡ଼ହଳବିକଳ ହେଉଥିବାବେଳେ ବିଭିନ୍ନ ଜଟିଳ ପରିସ୍ଥିତି ସାମ୍ନାକୁ ଆସୁଛି । ସ୍ଥିତିିକି ନିୟନ୍ତ୍ରଣ କରିବାକୁ ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ଅଛନ୍ତି । ଦେଶରେ ଅଟା ସଙ୍କଟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପରକୁ ଦାୟୀ କରିଛନ୍ତି । ହେଲେ ରୁଷ-ୟୁକ୍ରେନ ଯୁଦ୍ଧ, ୨୦୨୨ରେ ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଏବଂ ଆଫଗାନିସ୍ତାନରେ ଗହମ ଚୋରାଚାଲାଣ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଗୋଟିଏ ପଟେ ପାକିସ୍ତାନରେ ଖାଦ୍ୟ ସଙ୍କଟ ଓ ଅଟା ପାଇଁ ଲଢ଼େଇ । ଅନ୍ୟପଟେ ଅଧିକ ଗହମ ଉତ୍ପାଦନରେ ରେକର୍ଡ଼ ସୃଷ୍ଟି କରିବାକୁ ଯାଉଛି ଭାରତ ।