ଔ’ରେ ଔରତ, ମ’ରେ ମଖନ ଭଳି ହିନ୍ଦୀ ଶବ୍ଦ । ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଯାଉଛି ତ୍ରୁଟିପୂର୍ଣ୍ଣ ବହି । ସରକାରଙ୍କ ନିଘା ନାହିଁ 

833

କନକ ବ୍ୟୁରୋ: ପିଲାଙ୍କୁ ଶିଖାଯାଉଛି ବିକୃତ ଓଡ଼ିଆ । ଓଡିଆ ବର୍ଣ୍ଣମାଳା ଶିଖିବା ପୁସ୍ତକରେ ରହିଛି ଔ’ରେ ଔରତ, ମ’ରେ ମଖନ ଭଳି ହିନ୍ଦୀ ଶବ୍ଦ । କିଛି ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଯାଉଛି ଏପରି ବହି । ସ୍କୁଲ ଗୁଡିକରେ ଏଭଳି କଦର୍ଥ ଓଡିଆ ପଢାଯାଉଥିବା ନେଇ, ସରକାରଙ୍କ ନିଘା ନାହିଁ । ଏଭଳି ଓଡିଆ ଶିଖି ଓଡିଆ ଛାତ୍ରଙ୍କ ଭବିଷ୍ୟତ କଣ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍ ଓ ଅଭିଭାବକ ।

  • ‘ଇ’ରେ ଇଗଲ!
  • ‘ଔ’ରେ ଔରତ!
  • ‘ମ’ରେ ମଖନ!

ନ୍ୟୁ ୱେ ପବ୍ଲିକେସନ୍ ପକ୍ଷରୁ ପ୍ରକାଶିତ ସଚିତ୍ର ପୁସ୍ତକରେ ଏହିପରି ଭାବେ ଓଡ଼ିଆ ବର୍ଣ୍ଣମାଳା ଶିକ୍ଷା ଦିଆଯାଉଛି । ଓଡ଼ିଶା ଭାଷା ଉପରେ ପଡୁଥିବା ଚାପ ଯେ ଏତେ ବେଶି ହୋଇପାରେ, ଯାହାକୁ ବିଶ୍ୱାସ କରିବା କଷ୍ଟ । କିନ୍ତୁ ବାସ୍ତବ କଥା ହେଉଛି ଏହିଭଳି ତ୍ରୁଟିପୂର୍ଣ୍ଣ ତଥା ଭାଷାର ମୌଳିକତାକୁ ବିକୃତ କରୁଥିବା ପୁସ୍ତକ ବଜାରରେ ମିଳୁଛି । କେବଳ ସେତିକି ନୁହେଁ କିଛି ଇଂରାଜୀ ମାଧ୍ୟମ ସ୍କୁଲରେ ଏହି ପୁସ୍ତକକୁ ପଢୁଛନ୍ତି ଛୋଟ ଛୋଟ ପିଲା । ପିଲାବେଳୁ ସେମାନଙ୍କୁ ବିକୃତ ଓଡ଼ିଆ ଭାଷା ଶିକ୍ଷା ଦିଆଯାଉଛି ।

ଓଡ଼ିଆ ବର୍ଣ୍ଣମାଳା ଶିକ୍ଷା ପାଇଁ ପୂର୍ବରୁ ଛବିଳ ମଧୁ ବର୍ଣ୍ଣବୋଧକୁ ଆଦର୍ଶ ଭାବେ ଗ୍ରହଣ କରାଯାଉଥିଲା । ଯାହାକୁ ଲେଖିଥିଲେ ଭକ୍ତକବି ମଧୁସୂଦନ ରାଓ । କିନ୍ତୁ ଏବେ ବ୍ୟବସାୟ ପାଇଁ ବଜାରରେ ଭଳିକି ଭଳି ସଚିତ୍ର ପୁସ୍ତକ ପ୍ରକାଶ ପାଉଛି । ବହି ସିନା ରଙ୍ଗୀନ ହୋଇଯାଉଛି, କିନ୍ତୁ ଓଡ଼ଆ ଭାଷାକୁ ବିକୃତ ଓ କଦର୍ଥ କରି ପିଲାଙ୍କୁ ପଢ଼ାଯାଉଛି ।

ଶାସ୍ତ୍ରୀୟ ଓଡ଼ିଆ ଭାଷାରେ କ’ଣ ଶବ୍ଦର ଏତେ ଅଭାବ ରହିଛି ଯେ ହିନ୍ଦୀ ଶବ୍ଦ ବ୍ୟବହାର କରାଯାଉଛି, ତାହା ସ୍ୱାଭିମାନୀ ଓଡ଼ିଆଙ୍କୁ ଆଶ୍ଚଯ୍ୟ କରିଛି । ନ୍ୟୁ ୱେ’ ପବ୍ଲିକେସନ ପ୍ରକାଶ କରିଥିବା ପୁସ୍ତକର ମଲାଟରେ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀର ମୋହନଙ୍କ ଭଳି ପ୍ରଚଣ୍ଡ ସ୍ୱାଭିମାନୀ ଓଡ଼ିଆଙ୍କ ଫଟୋ ରହିଛି । କିନ୍ତୁ ବହି ଭିତରେ ‘ଇ’ରେ ଇଗଲ, ‘ଔ’ରେ ଔରତ୍, ‘ମ’ରେ ମଖନ ବୋଲି ଉଲ୍ଲେଖ କରାଯାଇଛି । ଓଡ଼ିଆ ଅକ୍ଷର ଶିକ୍ଷା ପାଇଁ ହିନ୍ଦୀ ଓ ଇଂରାଜୀ ଶବ୍ଦର ସାହାରା ନିଆଯାଉଛି । ଏହି ପୁସ୍ତକର ସମ୍ପାଦନା ମଣ୍ଡଳୀରେ ଅବସରପ୍ରାପ୍ତ ପ୍ରଧାପକ ବି ରହିଛନ୍ତି । ଏହା ସତ୍ତ୍ୱେ କିପରି ଏପରି ତ୍ରୁଟି ହେଲା, ଏ ନେଇ ପ୍ରଶ୍ନ ଉଠାଇଛନ୍ତି ଭାଷାବିତ୍ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତ୍ରୁଟି ଜଣା ପଡିବା ପରେ ବି ପ୍ରକାଶନୀ ସଂସ୍ଥା କିମ୍ବା ପାଠ୍ୟ ପୁସ୍ତକ ଭାବେ ଗ୍ରହଣ କରିଥିବା ସ୍କୁଲ ବିରୋଧରେ କୌଣସି ପଦକ୍ଷେପ ନିଆଯାଉନାହିଁ । ତେଣୁ ଛାଟ ବେଳୁ ପିଲା ଭୁଲ ଓଡ଼ିଆ ଶିଖିଲେ, ଭବିଷ୍ୟତରେ ଓଡ଼ିଆ ଭାଷା କି ରୂପ ନେବ ଏଥିରୁ ଅନୁମାନ କରିହେଉଛି ।