କେତେବେଳେ ବି ଗିରଫ ହୋଇପାରନ୍ତି ଇମ୍ରାନ୍ ଖାନ୍ । ଆତଙ୍କବାଦ ନିରୋଧୀ ଆଇନ୍ ଅଧିନରେ ମାମଲା ଦାଏର

174

କନକ ବ୍ୟୁରୋ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଗିରଫଦାରୀ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ । ତାଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ୍ ଅଧିନରେ ମାମଲା ଦାଏର ହୋଇଛି । ଏହାସହ ଇମ୍ରାନ୍ ବରିଷ୍ଠ ଜଜଙ୍କୁ ଧମକ ଦେଇଥିବା ଅଭିଯୋଗରେ ମଧ୍ୟ ତାଙ୍କ ବିରୋଧରେ ମାମଲା ଦାଏର ହୋଇଛି । ତେଣୁ ତାଙ୍କୁ ଯେ କୌଣସି ସମୟରେ ଗିରଫ କରାଯାଇପାରେ । ଅନ୍ୟପଟେ ଏହାକୁ ବିରୋଧ କରି ତାଙ୍କର ସହଯୋଗୀ ଓ ପିଟିଆଇ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ସୂଚନା ମୁତାବକ, ଇସଲାମାବାଦରେ ଏକ ଜନସଭାକୁ ସମ୍ୱୋଧିତ କରିବା ସମୟରେ ପିଟିଆଇ ଅଧ୍ୟକ୍ଷ ଇମରାନ ଖାନ ଅଧିକାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ପାକିସ୍ତାନର ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନଜର ରଖୁଥିବା ସଂସ୍ଥା ଇମରାନ ଖାନଙ୍କ ଭାଷଣର ସିଧାପ୍ରସାରଣ ଉପରେ ରୋକ ଲଗାଇଥିଲା। ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟାରୀ ଅଥରିଟୀ(ପିଇଏମଆରଏ) କହିଥିଲା, ସମସ୍ତ ଯାଞ୍ଚ କରାଯିବା ପରେ ଇମରାନ ଖାନଙ୍କ ରେକର୍ଡ ହୋଇଥିବା ଭାଷଣକୁ ପ୍ରସାରଣ ପାଇଁ ଅନୁମତି ଦିଆଯାଇଥିଲା ।