ଭାରତୀୟ ଶୋ ଦେଖାଉଥିବା ପାକିସ୍ତାନ ଟିଭି ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ, ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ

149

କନକ ବ୍ୟୁରୋ : ପାକିସ୍ତାନର ଲୋକମାନେ ଭାରତୀୟ ସୋ ଓ ବଲିଉଡ ସିନେମା ଦେଖିବାକୁ ବେଶ୍ ପସନ୍ଦ କରିଥାନ୍ତି । ହେଲେ ପାକିସ୍ତାନର କଟ୍ଟରବାଦୀ ସଂଗଠନମାନେ ଏହାକୁ ପସନ୍ଦ କରୁନାହାଁନ୍ତି । ଏବେ ଖବର ଆସିଛି କି ପାକିସ୍ତାନ ପକ୍ଷରୁ ସେଠିକାର ଟିଭି ଚ୍ୟାନେଲମାନଙ୍କୁ (ଯେଉଁ ଚ୍ୟାନେଲମାନେ ଭାରତୀୟ ଶୋ ପ୍ରସାରଣ କରିଥାନ୍ତି) ଭାରତୀୟ ଶୋ ପ୍ରସାରଣ ଉପରେ କଟକଣା ଲଗାଇଛନ୍ତି । ଏନେଇ କଟ୍ଟରବାଦୀ ସଂଗଠନମାନେ କେବୁଲ ଅପରେଟରଙ୍କ ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି ।

ପାକିସ୍ତାନୀ ଖବର କାଗଜ ‘ଦି ଡନ୍’ ର ରିପୋର୍ଟ ମୁତାବକ ପାକିସ୍ତାନୀ ଇଲେକ୍ଟ୍ରୋନିକ୍ସ ମିଡିଆ ରେଗୁଲେଟରୀ ଅଥରେଟୀ ତରଫରୁ ଟିଭି ଅପରେଟରମାନଙ୍କୁ ଭାରତୀୟ ସୋ ପ୍ରସାରଣ ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଏହି ସରକାରୀ ସଂସ୍ଥା ନିର୍ଦ୍ଦେଶ ଦେଇଛି କି ପାକିସ୍ତାନୀ ଟିଭି ଅପରେଟରମାନେ ଅବୈଦ୍ଧ ଘୋଷିତ କିମ୍ବା ପ୍ରତିବନ୍ଧିତ ଭାରତୀୟ ଶୋ ର ପ୍ରସାରଣ ବନ୍ଦ କରନ୍ତୁ । ଅଥରେଟି ତରଫରୁ କୁହାଯାଇଛି କି, କେବଳ ଟିଭି ନେଟୱର୍କ ଉପରେ ବିତରଣ ପାଇଁ ପଞ୍ଜିକୃତଙ୍କ ବ୍ୟତୀତ କୌଣସି ଅନ୍ୟ ଟିଭି ଚ୍ୟାନେଲମାନଙ୍କୁ ଅନୁମତି ମିଳିବ ନାହିଁ ।

ପାକିସ୍ତାନୀ ଇଲେକ୍ଟ୍ରୋନିକ୍ସ ମିଡିଆ ରେଗୁଲେଟରୀ ଅଥରେଟୀ ତରଫରୁ କୁହାଯାଇଛି କି, ସଂସ୍ଥାର ନିୟମ ଉଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗଣମାଧ୍ୟମର ରିପୋର୍ଟ ମୁତାବକ ପାକିସ୍ତାନୀ ଇଲେକ୍ଟ୍ରୋନିକ୍ସ ମିଡିଆ ରେଗୁଲେଟରୀ ଅଥରେଟୀ କରାଚୀ ସ୍ଥିତ କାର୍ଯ୍ୟାଳୟ ତରଫରୁ ବିଭିନ୍ନ କ୍ଷେତ୍ର ନିରୀକ୍ଷଣ କରାଯାଇ ଡିଜିଟାଲ କେବୁଲ ନେଟୱର୍କ, ହୋମ ମିଡିଆ କମ୍ୟୁନିକେସନ, ଶାହଜେବ କେବଲ ନେଟୱର୍କ ଓ ସ୍କାଇ କେବୁଲ ଭିଜନ ଭଳି ସଂସ୍ଥାର କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଛି ।