କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍ମର୍ମ ଅଭିଯୋଗ। ମଧୁପାଟଣା ଅଞ୍ଚଳରେ ଥିବା ପ୍ରତିଷ୍ଠିତ ହୋଟେଲରେ ନିର୍ଯ୍ୟାତନାର ଶିକାର ହୋଇଥିବା ଏତଲା।

203

କନକ ବ୍ୟୁରୋ: କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ସାଙ୍ଗମାନଙ୍କ ସହିତ ଜନ୍ମଦିନ ପାଳିବା ପାଇଁ ହୋଟେଲ ଯାଇ ରାତି ବିତାଇଥିବା ଜଣେ ଆଇନ ପଢ଼ୁଆ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ରାତିରେ ଛାତ୍ରୀଙ୍କ ରୁମ୍ ଖୋଲାଥିବାର ସୁଯୋଗ ନେଇ ହୋଟେଲ ମ୍ୟାନେଜର ଏଭଳି ଜଘନ୍ୟକାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । କଟକ ମଧୁପାଟଣା ଅଞ୍ଚଳରେ ଏହି ଘଟଣା ଘଟିଛି । ଏନେଇ ପୀଡିତା ଏତଲା ଦେବା ପରେ ପୋଲିସ ହୋଟେଲ ମ୍ୟାନେଜରକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

ପୀଡିତା ଜଣଙ୍କର ସହପାଠୀଙ୍କ ଜନ୍ମଦିନ ଥିବାରୁ ମଧୁପାଟଣା ଅଞ୍ଚଳର ଏକ ପ୍ରତିଷ୍ଠିତ ହୋଟେଲରେ ପାର୍ଟିର ଆୟୋଜନ କରିଥିଲେ । ସନ୍ଧ୍ୟାରୁ ମଧ୍ୟରାତ୍ରୀ ଯାଏଁ ପୀଡିତା ଓ ତାଙ୍କ ସହପାଠୀମାନେ ପାର୍ଟି କରିଥିଲେ । ପରେ ପରେ ସେଠାରେ ବୁକ୍ ହୋଇଥିବା ୪ଟି ରୁମକୁ ଚାଲିଯାଇଥିଲେ । ପରଦିନ ସକାଳୁ ପୀଡିତା ନିଜକୁ ଅସଂଯତ ଅବସ୍ଥାରେ ଦେଖିଥିଲେ । ଏବଂ ରୁମର କବାଟ ମଧ୍ୟ ଖୋଲାଥିଲା । ରୁମରେ ଶୋଇଥିବା ସହପାଠୀଙ୍କୁ ଏ ବିଷୟରେ ପଚାରିବାରୁ ସେମାନେ କିଛି ଜାଣିନଥିବା କହିଥିଲେ । ପରେ ଅନ୍ୟ ସହପାଠୀମାନେ ଆସି ତନାଘନା କରିବାରୁ ଛାତ୍ରୀ ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା । ଏନେଇ ପୀଡିତା ତୁରନ୍ତ ମଧୁପାଟଣା ଥାନାରେ ଏତଲା ଦେଇଥିଲେ । ପୋଲିସ ଜେରା ପରେ ଅଭିଯୁକ୍ତ ମ୍ୟାନେଜର ଦୋଷ ସ୍ୱୀକାର କରିଥିବା ଜଣାପଡିଛି । ମଧୁପାଟଣା ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ କୋର୍ଟରେ ବୟାନ ରେକର୍ଡ କରାଯାଇଛି ।