ପାକିସ୍ଥାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ । ଆକ୍ରମଣ ପରେ ପରିଣାମ ଭୋଗିବାକୁ ଇରାନକୁ ପାକିସ୍ଥାନର ଚେତାବନୀ

254

କନକ ବ୍ୟୁରୋ : ଯେଉଁ ପାକିସ୍ତାନ ଅନ୍ୟ ଦେଶକୁ ନିଜ ଆତଙ୍କୀଙ୍କୁ ପଠାଇ ଆକ୍ରମଣ କରେ ଆଜି ସମାନ ସ୍ଥିିତି ନିଜେ ଭୋଗୁଛି । ଆତଙ୍କୀଙ୍କୁ ସମର୍ଥନ କରୁଥିବା, ପ୍ରୋତ୍ସାହନ ଦେଉଥିବା ପାକିସ୍ଥାନରେ ପଶି ବଡ ଧରଣର ଆକ୍ରମଣ କରିଛି ଇରାନ । ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ୧୬ ଅଧରାତିରେ ଇରାନ-ପାକିସ୍ତାନ ସୀମାରେ ଥିବା ଆତଙ୍କୀ ସଂଗଠନ ଜୈଶ ଅଲ ଅଦଲ ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି ଇରାନ । କ୍ଷେପଣାସ୍ତ୍ର ମାଡ଼ରେ ଆତଙ୍କୀ ସଂଗଠନ ଜୈଶ ଅଲ ଅଦଲର ତିନି ଠିକଣା ଧ୍ୱସ୍ତ । ମଙ୍ଗଳବାର ବଲୁଚିସ୍ତାନ ପଜଂଗୁର ଇଲାକାରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ ପକ୍ଷରୁ ଏହି ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି ।

ଆତଙ୍କୀ ସଂଗଠନ‘ଜୈଶ ଅଲ ଅଦଲର ପାକିସ୍ଥାନ ସୀମାରେ ରହି ଇରାକ ସୁରକ୍ଷା ବଳ ଉପରେ ପୂର୍ବରୁ ବାରମ୍ବାର ଆକ୍ରମଣ କରୁଛି । ଏନେଇ ଇରାନ ବାରମ୍ବାର ଧମକ ଦେବା ସତ୍ୱେ ଆତଙ୍କୀ ସଂଗଠନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ପାକିସ୍ତାନ । ତେଣୁ ଏହାର ଜବାବ ଦେବାକୁ ଯାଇ ପାକିସ୍ଥାନ ସୀମାରେ ପଶି କ୍ଷେପଣାସ୍ତ୍ର ମାଡ଼ କରିଥିବା କହିଛି ଇରାନ  ।

ଆତଙ୍କୀ ସଂଗଠନ‘ଜୈଶ ଅଲ ଅଦଲ’
-ଜୈଶ ଅଲ ଅଦଲର ମୁଖ୍ୟ ଆଡ୍ଡା ବଲୁଚିସ୍ତାନରେ ରହିଛି
-ଇରାନରେ ଲଗାତାର ଆକ୍ରମଣ କରୁଛି
-୩ଦେଶରେ ସଂଗଠନର ଆଡ୍ଡା ରହିଛି
-ପାକିସ୍ତାନ ଓ ଆଫଗାନିସ୍ତାନରେ ଦବଦବା ରହିଛି

ଇରାନ ଏହି ଆକ୍ରମଣରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ବ୍ୟବହାର କରି ପରମାଣୁ ଶକ୍ତିସମ୍ପର୍ଣ୍ଣ ପାକିସ୍ଥାନକୁ ଖୋଲା ଚ୍ୟାଲେଞ୍ଜ ଦେଇଛି । ସେପଟେ ପାକିସ୍ଥାନ ଏହି ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ନେଇ ସୂଚନା ଦେବା ସହ ଇରାନକୁ ଏହି ଆକ୍ରମଣର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛି । ପାକିସ୍ତାନ ସରକାର ଇରାନ ରାଜଦୁତଙ୍କୁ ତଲବ କରିଛନ୍ତି ।

ଗତ ଦୁଇ ଦିନ ହେବ ଇରାନ ସିରିଆ ଓ ଇରାକ ଉପରେ ଆକ୍ରମଣ କରୁଛି । ଇସଲାମିକ ଷ୍ଟେଟକୁ ଟାର୍ଗେଟ କରିଛନ୍ତି । ସିରିଆ ଓ ଇରାକରେ ଇରାନର ଆକ୍ରମଣକୁ ଆମେରିକା ଏବଂ ଇସ୍ରାଏଲ ପାଇଁ ଏକ ଚେତାବନୀ ଭାବେ ଦେଖାଯାଉଛି । ଇରାନ ସମର୍ଥିତ ସଂଗଠନ ହୁତୀ ଓ ଅନ୍ୟାନ୍ୟ ସଂଗଠନ ଉପରେ କାରଣ ଉଭୟ ଆମେରିକା ଓ ଇସ୍ରାଏଲ କରୁଛନ୍ତି ।