ଯାତାୟତରେ କୁହୁଡି ସାଜିଛି କାଳ । ୨୪ଘଂଟାରେ ଯମୁନା ଏକ୍ସପ୍ରେସ ୱେରେ ୯ଟି ଦୁର୍ଘଟଣା, ୪୦ ଆହତ, ବିମାନ ସହ ରେଳ ଚଳାଚଳ ବାଧାପ୍ରାପ୍ତ

219

କନକ ବ୍ୟୁରୋ : କୁହୁଡ଼ି ପାଇଁ ଯାତାୟତ ବାଧାପ୍ରାପ୍ତ । ଘନ କୁହୁଡ଼ି ପାଇଁ ଦିଶୁନି ରାସ୍ତାଘାଟ । ପାଦେ ଚାଲିବା ପାଇଁ ମଧ୍ୟ ବାଧା ସାଜୁଛି ବାୟୁ ପ୍ରଦୁଷଣ ସାଙ୍ଗକୁ କୁହୁଡି । ବିଶେଷ ପରି ହାଇୱେ ଓ ହାଇୱେ ଏକ୍ସପ୍ରେସ ୱେରେ ଦ୍ରୁତ ଗତିରେ ଯାତାୟତ କରୁଥିବା ଗାଡିଗୁଡିକ ଦୁର୍ଘଟଣାର ଶିକାର ହେଉଛନ୍ତି । ଗତ ୨୪ ଘଂଟା ଭିତରେ ଯମୁନା ଏକ୍ସପ୍ରେସ ୱେରେ ୯ଟି ଦୁର୍ଘଟଣା ଘଟିବା ସହ ୪୦ଜଣ ଆହତ ହୋଇଥିବା ସୂଚନା ରହିଛି । ସେପଟେ ପଂଜାବରେ ପୋଲିସ ଭ୍ୟାନ ଟ୍ରାକ୍ଟର ସହ ପିଟିବା ପରେ ୪ଜଣ ପୁଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ସେପଟେ ଘନ କୁହୁଡି ବିମାନ ଉଡାଣ ପାଇଁ ସବୁଠୁ ବଡ ସମସ୍ୟା ସାଜିଛି । ଦେଶର ଅଧିକାଂଶ ସ୍ଥାନରେ ବିମାନ ଉଡାଣ ବାଧାପ୍ରାପ୍ତ ହେଉଛି । କେଉଁଠି ଘଂଟା ଘଂଟା ବିମାନ ଉଡାଣରେ ବିଳମ୍ବ ହେଉଛି ତ ପୁଣି କେଉଁଠି ରଦ୍ଧ ହେଉଛି । କିଛି ବିମାନର ରୁଟ ପରିବର୍ତନ ହେବା ଯୋଗୁଁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସଡକପଥ, ଆକାଶପଥ ନୁହେଁ ରେଳପଥରେ ବି ବାଧା ସାଜିଛି କୁହୁଡି । ଉତରଭାରତର ଅଧିକାଂଶ ରାଜ୍ୟରେ ଟ୍ରେନ ଚଳାଚଳ ବିଳମ୍ବରେ ହେବା ସହ ଅଧିକାଂଶ ଟ୍ରେନ ଯାତାୟତ ବାଧାପ୍ରାପ୍ତ ହେଉଛି ଓ ରଦ୍ଧ ମଧ୍ୟ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ କହିଛି ଆଉ ୭ଦିନ ଧରି ସମାନ ସ୍ଥିତି ରହିବ ।