ସଂକଟରେ ପାକିସ୍ତାନ, ହାତ ଛାଡ଼ୁଛନ୍ତି ସହଯୋଗୀ ରାଷ୍ଟ୍ର

161

କନକ ବ୍ୟୁରୋ : ପାକିସ୍ତାନରେ ଆର୍ଥିକ ସଂକଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବର୍ତମାନ ଦେଶ ପ୍ରତିଟି କ୍ଷେତ୍ରରେ ସମସ୍ୟା ଦେଇ ଗତି କରୁଛି । ତେଣିକି ତାହା ଖାଦ୍ୟପାନୀୟ ସଂକଟ ହେଉ କି ଇନ୍ଧନ ସମସ୍ୟା । ବର୍ତମାନ ପାକିସ୍ତାନ ଉପରେ ୧୦୦ ବିଲିୟନ ଡଲାର ଋଣ ରହିଛି । ଏଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ୍ ଲଗାତର ପଡ଼ୋଶୀ ଦେଶ ସମେତ ଆଇଏମଏଫ୍ରୁ ସହାୟତା ମାଗୁଛନ୍ତି । ଆଉ ଏଭଳି ସମୟରେ ପାକିସ୍ତାନର ସହଯୋଗୀ ରାଷ୍ଟ୍ରମାନେ ବି ହାତ ଛାଡ଼ି ଦେଲେଣି । ୟୁଏଇ ଓ ସାଉଦି ଆରବ ଭଳି ରାଷ୍ଟ୍ର ଆଉ ପାକିସ୍ତାନକୁ ଋଣ ଦେବାକୁ ରାଜି ହେଉ ନାହାନ୍ତି । ଚୀନ୍ ମଧ୍ୟ ପାକିସ୍ତାନକୁ ଆର୍ଥିକ ସହାୟତା ଦେବାକୁ ଅମଙ୍ଗ ହୋଇଛି । ସେପଟେ ତୈଳ ସଂକଟ ଗୁଜବ ଦେଶର ସମସ୍ୟାକୁ ଦୁଇଗୁଣିତ କରିଛି ।

ପାକିସ୍ତାନରେ ବର୍ତମାନ ଯେଉଁ ଆର୍ଥିକ ସଂକଟ ଦେଖା ଦେଇଛି, ତାହା ଦେଶର ଇତିହାସର ସବୁଠାରୁ ବଡ଼ ସଂକଟ ବୋଲି କୁହାଯାଉଛି । ୧୯୪୭ ପରଠାରୁ ପାକିସ୍ତାନ ଏଭଳି ସଂକଟ କେବେ ଦେଖିନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଏଭଳି ସ୍ଥିତିରେ ଅନ୍ୟ ଦେଶଠାରୁ ସହାୟତା ମାଗିବା ଛଡ଼ା ପାକିସ୍ତାନ ପାଖରେ ଆଉ କିଛି ଚାରା ନାହିଁ । କିନ୍ତୁ ପାକିସ୍ତାନକୁ ଋଣ ଦେବାକୁ କିଛି ଦେଶ ଅରାଜି ହେଉଥିବା ଜଣାପଡ଼ିଛି । ଏଥିରେ ଆଗରେ ରହିଛି ପାକିସ୍ତାନକୁ ସବୁ ପ୍ରସଙ୍ଗରେ ସମର୍ଥନ କରିଆସୁଥିବା ଚୀନ୍ । ଯଦି ଚୀନ୍ ଓ ସାଉଦି ଆରବ ସହାୟତା ନକରନ୍ତି, ତେବେ ପାକିସ୍ତାନ ଦେବାଳିଆ ଅବସ୍ଥାକୁ ଚାଲିଆସିବ ବୋଲି ଜଣାପଡ଼ିଛି ।

-ପାକିସ୍ତାନରେ ଡଲାର ତୁଳନାରେ ମୁଦ୍ରା ହ୍ରାସ ପାଉଛି
-ବିଦେଶୀ ପୁଞ୍ଜି ଭଣ୍ଡାରରେ ୧୨% ହ୍ରାସ ସୂଚନା
-ସଂକଟରୁ ଉଦ୍ଧାର ପାଇଁ ସହାୟତା କରୁନି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି
-ଆର୍ଥିକ ସହାୟତା ଦେବା ପୂର୍ବରୁ କଠୋର ସର୍ତ୍ତ ରଖୁଛି ଆଇଏମଏଫ୍
-୨୦୨୦ରେ ପାକିସ୍ତାନ ପୁନରୁଦ୍ଧାର ପ୍ୟାକେଜକୁ ରଦ୍ଦ କରିଥିଲା ଆଇଏମଏଫ୍
-ଆଇଏମଏଫ୍କୁ ମନାଇବା ପାଇଁ ଜିଡିପି ଆକଳନ ୧.୫%କୁ ହ୍ରାସ କରିଛି
-ମୁଦ୍ରାସ୍ଫୀତି ହାରକୁ ୧୨.୫%ରୁ ବଢାଇ ୨୯% କରିଛି ପାକିସ୍ତାନ

ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଆଗରେ ଏବେ ବଡ଼ ଗୁଜବ ଦେଶ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରିଛି । ଦେଶରେ ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ ବୃଦ୍ଧି ଖବର ପ୍ରଚାରିତ ହେବା ପରେ କିଛି ପେଟ୍ରୋଲ ପମ୍ପ ଗ୍ରାହକଙ୍କୁ ଯୋଗାଣ ବନ୍ଦ କରିଦେଇଛନ୍ତି । ଆଉ ଏବେ ଯୋଗାଣକାରୀ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଦର ନବଢ଼ିଛି, ସେଯାଏଁ ବିକ୍ରି ହେବନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦେଶରେ ଆଗାମୀ ୨୦ ଦିନ ଯାଏ ଚାହିଦା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି । ଏହାରି ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍ ତୈଳ କମ୍ପାନୀ କଳାବଜାରୀ ନକରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ପାକିସ୍ତାନ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଆଉ ମାତ୍ର ୨୦ ଦିନ ପାଇଁ ପେଟ୍ରୋଲ ମହଜୁତ ରହିଛି । ତେବେ କିଛି କମ୍ପାନୀ ଜାଣିଶୁଣି ପେଟ୍ରୋଲକୁ ଷ୍ଟକ ରଖୁଥିବାରୁ ମାର୍କେଟରେ ଏହାର ଅଭାବ ଦେଖା ଦେଇଛି ।

– ପାକିସ୍ତାନରେ ମାତ୍ର ୬ଟି ଟପ୍ କମ୍ପାନୀ ପାଖରେ ପେଟ୍ରୋଲିୟମ ସାମଗ୍ରୀ ମହଜୁଦ ରହିଛି
– ସେଥିମଧ୍ୟରେ ଷ୍ଟେଟ୍ ଅଏଲ, ଟୋଟାଲ, ଗୋ’, ଶେଲ ଏବଂ ଅନ୍ୟାନ୍ୟ ସାମିଲ ଅଛି
– ଦେଶରେ ମୋଟ ୯୮୦୦ ପେଟ୍ରୋଲ ପମ୍ପ ରହିଛି
– ସେଥିରୁ ୬ କମ୍ପାନୀର ୬ହଜାର ରିଟେଲ ଆଉଟଲେଟ୍ର ନେଟୱର୍କ ରହିଛି
– ଆର୍ଥିକ ସ୍ଥିତି ଏବଂ ଲେଟର୍ସ ଅଫ୍ କ୍ରେଡିଟ୍ ନଖୋଲିବା କାରଣରୁ ୬ଟି କମ୍ପାନୀ ଉପରେ ୩ହଜାର ୮୦୦ ରିଟେଲ ଆଉଟଲେଟର ବୋଝ ପଡ଼ିଛି

ପେଟ୍ରୋଲ ଅଭାବ ଗୁଜବ ପରେ ପାକିସ୍ତାନର ଅନେକ ବଡ଼ ବଡ଼ ସହରରେ ଲୋକେ ପେଟ୍ରୋଲ ପମ୍ପ ଆଗରେ ଘଂଟା ଘଂଟା ଧରି ଧାଡ଼ିରେ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳୁଛି । ପଂଜାବ ପ୍ରଦେଶର କିଛି ସହରରେ ପେଟ୍ରୋଲ ଅଭାବ କାରଣରୁ ପେଟ୍ରୋଲ ପମ୍ପ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ଏଭଳି ସ୍ଥିତିରେ ଦେଶରେ ସଂକଟ ଆଗକୁ ଆହୁରି ଉକ୍ରଟ ହେବ ବୋଲି ଜଣାପଡ଼ିଛି ।