ତୁର୍କୀ ଓ ସିରିଆରେ ଥମୁନି ମୃତ୍ୟୁର ତାଣ୍ଡବ, ସାମ୍ନାକୁ ଆସିଲା ସାଟେଲାଇଟ୍ ଚିତ୍ର

118

କନକ ବ୍ୟୁରୋ : ପ୍ରକୃତିର ତାଣ୍ଡବରେ ଦୋହଲି ଯାଇଛି ଏସିଆ ଓ ୟୁରୋପ ସୀମାରେ ରହିଥିବା ତୁର୍କୀ । ଭୂମିକମ୍ପ ପରେ ତୁର୍କୀ ଏବଂ ସିରିଆରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ । ବଡ ବଡ ଅଟ୍ଟାଳିକା, ଘର, ଡ଼ାକ୍ତରଖାନା, ଶିକ୍ଷାନୁଷ୍ଠାନ ଆଦି ସବୁ ଭାଙ୍ଗିପଡିଛି । ଭଙ୍ଗା ଅଟ୍ଟାଳିକା ତଳେ ଫସି ରହିଛି ହଜାର ହଜାର ଜୀବନ । ଭୂମିକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୫ ହଜାରରୁ ଅଧିକ ଟପିଥିବାବେଳେ ପ୍ରତି ଘଂଟାକୁ ଘଂଟା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପଟେ ସାମ୍ନାକୁ ଆସିଛି ସାଟେଲାଇଟ ଚିତ୍ର । ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି ଭୂମିକମ୍ପ ହେବା ପୂର୍ବର ଓ ପରର ଦୃଶ୍ୟ । ତୁର୍କୀ ଏବଂ ସିରିଆରେ ସୋମବାର ହୋଇଥିବା ଭୀଷଣ ଭୂମିକମ୍ପ ଯୋଗୁଁ ସହର ସବୁ ଯେପରି ଶ୍ମଶାନ ପରିଣତ ହୋଇପଡ଼ିଛି । ବିଭିନ୍ନ ଅଂଚଳ ପ୍ରଭାବିତ ହୋଇଥିବା ମଧ୍ୟରେ ଅନ୍ତାକ୍ୟା ଏବଂ କହରାନମାରସ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ତେବେ ଏହି ସାଟେଲାଇଟ ଯୋଗୁଁ ଜରୁରୀକାଳୀନ ଆଶ୍ରୟ ସ୍ଥଳ ତିଆରି ହୋଇଥିବା ଚିହ୍ନଟ ହୋଇଛି ।

ନିଜ ଛୋଟ ପୁଅକୁ ବଂଚାଇବାକୁ ଯାଇ ଚାଲିଯାଇଛି ବାପାର ଜୀବନ । ଉଦ୍ଧାରକାରୀ ଟିମ ଉଦ୍ଧାର ସମୟରେ ଏହି ବାପା ପୁଅଙ୍କୁ ଉଦ୍ଧାର କରିଛନ୍ତି । ଛୋଟ ପୁଅଟି ଜୀବିତ ଥିବାବେଳେ ବାପାର ମୃତ୍ୟୁ ହୋଇଛି । ସେହିପରି ଆଉ ଏକ ଦୃଶ୍ୟ । ଭଙ୍ଗା କାନ୍ଥ ତଳେ ଚାପି ହୋଇରହିଥିବା ଝିଅଟିକୁ କିପରି ଅକ୍ସିଜେନ ଯୋଗାଇ ଦିଆଯାଇଛି । ସତରେ ମଣିଷ ବଂଚିବାକୁ କେତେ ସଂଘର୍ଷ କରେ, ଯାହା ଏସବୁ ଦୃଶ୍ୟରୁ ଅନୁମାନ କରିହେଉଛି ।

ତୁର୍କୀ ଓ ସିରିଆରେ ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି, ତାହା ହଜାର ହଜାର ଜୀବନ ତ ନେଇସାରିଛି । ହେଲେ ଏଥିରେ ଯେ କେତେ ଲୋକେ ପ୍ରଭାବିତ ହେବେ, ତାକୁ ନେଇ ପୂର୍ବାନୁମାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପାଖାପାଖି ୨କୋଟି ୩୦ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହେବା ନେଇ ଡବ୍ଲ୍ୟୁଏଚଓ ଆଶଙ୍କା ପ୍ରକାଶ କରିଛି । ସେପେଟ ସିରିଆ ତୁଳନାରେ ତୁର୍କୀ ନିଜର ପଶ୍ଚିମ ଦିଗକୁ ପ୍ରାୟ ୫ରୁ ୬ ମିଟର ଘୁଂଚିଯାଇଛି ବୋଲି ଇଟାଲୀର ଭୂତତ୍ୱବିତ ପ୍ରଫେସର କାର୍ଲୋ ଡୋଗଲିଅନି କହିଛନ୍ତି । ତେବେ ଆନୁଷ୍ଠାନିକ ଭାବେ ଏନେଇ କୌଣସି ସୂଚନା ମିିଳିନାହିଁ ।

ତୁର୍କୀ ଓ ସିରିଆରେ ଭୂମିକମ୍ପ ପରେ ଭାରତ ତା’ର ସହାୟତା ଜାରି ରହିଛି । ଭାରତରୁ ଯାଇଥିବା ଏନଡିଆରଏଫ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛିି । ପ୍ରଭାବିତ ଅଂଚଳରେ ୭୭ଟି ରାଷ୍ଟ୍ର ତଥା ୧୩ଟି ଅନ୍ତରାଷ୍ଟ୍ରୀୟ ଜରୁରୀକାଳୀନ ମେଡ଼ିକାଲ ଟିମ୍ ନିୟୋଜିତ କରାଯାଇଛି ।