ପଦ୍ମପୁର ଉପନିର୍ବାଚନ: ତିନି ରାଜନୈତିକ ଦଳର ପ୍ରଚାର ଜୋରଦାର।

161

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ତାରିଖ ଯେତିକି ଯେତିକି ପାଖେଇ ଆସୁଛି, ସେତିକି ସେତିକି ପ୍ରଚାର ସରଗରମ ହେଉଛି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନିଜ ସପକ୍ଷରେ ଭୋଟରଙ୍କୁ ଆଣିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି ।

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଜିତାଇବା ପାଇଁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ପାଇକମାଳ ଅଞ୍ଚଳରେ ପ୍ରଚାର କରୁଛନ୍ତି । ପଦ୍ମପୁର ଉପନିର୍ବାଚନରେ ଆଦିବାସୀ ଭୋଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଥିବାରୁ ଗାଁ ଗାଁ ବୁଲୁଛନ୍ତି ବିଶ୍ୱେଶ୍ୱର । ଆଉ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ଅପିଲ କରୁଛନ୍ତିି ।

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ରୀତା ସାହୁ ପଦ୍ମପୁରରେ ପ୍ରଚାର କରିଛନ୍ତି । ରୋଡ ସୋ କରିବା ସହ ଛୋଟ ଛୋଟ ସମାବେଶ କରି ଅଧିକ ଲୋକଙ୍କ ପାଖରେ ପହଁଚିବାକୁ ଲକ୍ଷ୍ୟ ରଖିଛନ୍ତି ।

କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ତାଙ୍କ ସମର୍ଥକଙ୍କୁ ଧରି ପଦ୍ମପୁର ଓ ଝାରବନ୍ଧ ଅଞ୍ଚଳରେ ପ୍ରଚାର କରିଛନ୍ତି । ପଦ୍ମପୁରରେ ନିର୍ବାଚନୀ ତାତି ବଢ଼ୁଥିବାବେଳେ, ପ୍ରଚାର ପାଇଁ ମଙ୍ଗଳବାରଠାରୁ ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିନି ଦିନ ଧରି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପଞ୍ଚାୟତରେ ରୋଡ ସୋ ଓ ସମାବେଶ କରିବେ ଧର୍ମେନ୍ଦ୍ର । ସେହିପରି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପିସିସି ପ୍ରଭାରୀ ଏ. ଚେଲାକୁମାର ମଧ୍ୟ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।